ବାଲେଶ୍ୱରରେ କାୟା ମେଲାଉଛି କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୮ ଛୁଇଁଲା

ଭୁବନେଶ୍ୱର: ବାଲେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଜିଲ୍ଲାରୁ ୨ ବର୍ଷର ଶିଶୁ ସମେତ ୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ପୁଣି ୫ ପଜିଟିଭ ଏହି ଜିଲ୍ଲାରୁ ଚିହ୍ନଟ କରାଯାଇଛି। ପୂର୍ବରୁ ଆଉ ଜଣେ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ।  ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୮ ଛୁଇଁଛି ଏବଂ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି ।

ସକାଳେ ୫ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟରେ ସୂଚନା ଦିଆଯାଇଥିଲା। ହେଲେ ଏମାନେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ  କୁହାଯାଇ ନ ଥିଲା। ପରେ ଏହି ୫ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି।

ବାଲେଶ୍ୱର ଜିଲ୍ଲାର ଏହି ୫ ସଂକ୍ରମିତ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ । ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ଦୁଇ ଜଣ ମହିଳା ଓ ଜଣେ ନାବାଳକ ଅଛନ୍ତି।  ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି ।ଆକ୍ରାନ୍ତମାନେ କେଉଁ ଅଂଚଳକୁ ଯାଇଥିଲେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।

ସୂଚନାଥାଉ କି, ଗତକାଲି ସକାଳେ ୭ ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ଏବଂ ୨ ଜଣ ବାଲେଶ୍ୱର ଥିଲେ । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଘଟଣା ପରେ ଏସବୁ ଜିଲ୍ଲାରେ କଣ୍ଟେନମେଣ୍ଣ ଜୋନକୁ ବଢାଇ ଦିଆଯାଇଥିଲା।

ସନ୍ଧ୍ୟାରେ ପୁଣି ୬ ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡର ହୋଇଥିବାବେଳେ ୫ ଜଣ ଯାଜପୁର ଜିଲ୍ଲାର ଥିଲେ। ।ଯାଜପୁରରେ ଚିହ୍ନଟ ହୋଇଥିବାର ୫ ଆକ୍ରାନ୍ତଙ୍କ ମଧ୍ୟରୁ କୋରେଇରୁ ଜଣେ, ଯାଜପୁରରରୁ ୩ ଓ ଦଶରଥପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କୋଲକାତାରୁ ଆସିଥିଲେ ବୋଲି ଜିଲ୍ଲାପାଳ କହିଥିଲେ। ସେପଟେ ସୁନ୍ଦରଗଡ଼ର ଆକ୍ରାନ୍ତ ବିଶ୍ରା ଅଞ୍ଚଳର ହୋଇଥିବା ଏବଂ ସେ ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ନୂଆ ସଂକ୍ରମିତଙ୍କୁ ମିଶାଇ ଯାଜପୁରରେ ମୋଟ ସଂଖ୍ୟା ୭ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସଂଖ୍ୟା ୩ରେ ପହଞ୍ଚିଛି।

You might also like