ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଲେ ପୋଲିସ୍‌‌ କର୍ମଚାରୀ ଓ ବିଟେକ୍ ଛାତ୍ର

ଜୟପୁର(ଟି ଗୌରିଶଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍‌‌ କର୍ମଚାରୀ ଓ ବିଟେକ୍ ଛାତ୍ର ଧରାପଡ଼ିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୋଲିସ୍‌ ଏହି ତଥ୍ୟ ଦେଇଛି।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ଜଳାପୁଟରୁ ଭାୟା ଜୟପୁର ଦେଇ କାର୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ନେଇ ଖବର ପାଇବା ପରେ ଜୟପୁର ସଦର ଥାନା ପୋଲିସ୍‌ ଚଢ଼ାଉ କରି ୨ କ୍ୱିଣ୍ଟାଲ୍‌ ୬୯ କେଜିର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ୬ ଜଣଙ୍କୁ ଗିରଫ କରିଛି।

ଗିରଫ ୬ଜଣଙ୍କ ମଧ୍ୟରେ ସଦର ଥାନାର ହାବିଲଦାର ବିଶ୍ୱନାଥ ପରିଜା ଓ ଅନ୍ୟ ଜଣେ କୋରାପୁଟ ସ୍ଥିତ  ଓଏସ୍ଏପି ୬୦ ବାଟାଲିଅନ‌ର ନରେନ୍ଦ୍ର ବଡ଼ନାୟକ ନାମକ ବ୍ୟକ୍ତି ଅଛନ୍ତି। ସେହିପରି ବିହାର ନାଓ୍ୱଡ଼ାର ଜଣେ ବିଟେକ୍ ଛାତ୍ର ମଧ୍ୟ ଗିରଫ ହୋଇଛନ୍ତି।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ପୋଲିସ୍‌‌ କାର୍ ସହ ୩ଟି ବାଇକ୍ ମଧ୍ୟ ଜବତ କରିଛି। ତେବେ ଗଞ୍ଜେଇ ଚାଲାଣରେ ଦୁଇ ଦୁଇ ଜଣ ପୋଲିସ୍ କର୍ମଚାରୀଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

You might also like