ରାଜ୍ୟରେ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ: ଲଟେରୀ ଜରିଆରେ ନିଷ୍ପତ୍ତି ପରେ ଅଡୁଆରେ ପୁରୁଣା ବ୍ୟବସାୟୀ

ଲଟେରୀ ଜରିଆରେ ଲାଇସେନ୍ସ ନିଷ୍ପତ୍ତି

  • ରାଜ୍ୟରେ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ
  • ଲଟେରୀ ଜରିଆରେ ଲାଇସେନ୍ସ ନିଷ୍ପତ୍ତି
  • ବଢ଼ିଲା ପୁରୁଣା ମଦ ବ୍ୟବସାୟୀଙ୍କ ଅଡ଼ୁଆ
  • ବିରୋଧୀଙ୍କ ଅଭିଯୋଗ, ନିଜ ଲୋକଙ୍କୁ ଲାଇସେନ୍ସ ଦେବାକୁ ଚାଲ୍
  • ବିଜେଡି କହିଲା ଆସିବ ସ୍ୱଚ୍ଛତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ ଦେଖାଦେଇଛି। ପୂର୍ବ ଭଳି ଆଉ ନବୀକରଣ କରାନଯାଇ, ଲଟେରି ମାଧ୍ୟମରେ ଲାଇସେନ୍ସ ଦିଆଯିବ ବୋଲି ନିଷ୍ପତ୍ତି ପରେ ଅଡୁଆରେ ଏବେ ପୁରୁଣା ମଦ ବ୍ୟବସାୟୀ। ସେପଟେ ନିଜ ଲୋକଙ୍କୁ ମଦ ଲାଇସେନ୍ସ ଦେବା ଲାଗି ଏହା ଚାଲ୍ ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡି କହିଛି ନୂଆ ନିୟମ ଦ୍ୱାରା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ।

ବଦିଳି ଯାଇଛି ମଦ ଲାଇସେନ୍ସ ନିୟମ। ଏଣିକି ନବୀକରଣ ହେବନି ଲାଇସେନ୍ସ ବୋଲି ସୂଚନା ମିଳିଛି। ଲଟେରି ମାଧ୍ୟମରେ ମିଳିବ ଲାଇସେନ୍ସ। ଯାହାକୁ ନେଇ ଚିନ୍ତାରେ ଏବେ ଅଛନ୍ତି ବ୍ୟବସାୟୀ। ଅବକାରୀ ବିଭାଗର ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ ଥରେ ଲଟେରି ମାଧ୍ୟମରେ ଲାଇସେନ୍ସ ପାଇବା ପରେ ଏହା ୫ ବର୍ଷ ଲାଗି ବୈଧ ରହିବ। ତେବେ ନୂଆ ନିୟମ ଆସିବା ପରେ ପୁରୁଣା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ ହେବ। ନୂଆ ଲାଇସେନ୍ସ ପାଇବାକୁ ହେଲେ ଲଟେରି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ।

ଆଉ ଏଥିପାଇଁ ଅବକାରୀ ବିଭାଗ ୱେବସାଇଟ୍କୁ‌ ଯାଇ ଆଧାର, ପ୍ୟାନ୍ କାର୍ଡ, ଆୟକର ପ୍ରମାଣପତ୍ର ଓ ଏକ ଲକ୍ଷ ଟଙ୍କା ଜମା କରି ଅନଲାଇନ୍‌ ଜରିଆରେ ଆବେଦନ କରିପାରିବେ। ତେବେ ଲଟେରିରେ ନାଁ ନଉଠିଲେ ଏକ ଲକ୍ଷ ଟଙ୍କା ଫେରସ୍ତ ହେବନାହିଁ। ଯେଉଁମାନଙ୍କ ନାଁ ଉଠିବ, ସେମାନଙ୍କୁ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡ଼ିବ ବୋଲି ଜଣାଯାଇଛି। ତେବେ ଏହାଦ୍ୱାରା ୧୫ ବର୍ଷ ଧରି ମଦ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ଓ ସେଠାରେ କାମ କରୁଥିବା କର୍ମଚାରୀ ପ୍ରଭାବିତ ହେବେ ବୋଲି ମଦ ବ୍ୟବସାୟୀ ସଂଘ କହିଛି।

ସେହିପରି କରୋନା ପାଇଁ ସର୍ବନିମ୍ନ ଗ୍ୟାରେଣ୍ଟି କୋଟା ପୂରଣ ହୋଇନଥିବାରୁ ବର୍ତ୍ତମାନର ଅଧିକାଂଶ ବ୍ୟବସାୟୀ ଏହି ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ଏହାସହ ବାହାର ରାଜ୍ୟର ବ୍ୟବସାୟୀଙ୍କ ଦୌରାତ୍ମ୍ୟ ବଢିବ ବୋଲି ସଂଘ ଆଶଙ୍କା କରିଛି। ସେପଟେ ଅବକାରୀ ବିଭାଗ ସଚିବ କହିଛନ୍ତି ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ନିୟମରେ ପରିବର୍ତ୍ତନ ଆବଶ୍ୟକତା ଥିଲା।

ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡିକର ଲାଇସେନ୍ସ ଫି ୨୦ ପ୍ରତିଶତ ଓ ୫ ପ୍ରତିଶତ ସର୍ବନିମ୍ନ ଗ୍ୟାରେଣ୍ଟି କୋଟା ବୃଦ୍ଧି କରାଯାଇଛି। ସେପଟେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି। ବିରୋଧୀ ବିଜେପି ଓ କଂଗ୍ରେସ ୫ବର୍ଷିଆ ଲାଇସେନ୍ସ ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଏହା ପଛର ଉଦ୍ଦେଶ୍ୟ ହେଲା ନିଜ ଲୋକଙ୍କୁ ଲାଇସେନ୍ସ ଦେଇ ରାଜସ୍ୱ ବୃଦ୍ଧି କରିବା ବୋଲି ବିଜେପି କହିଛି। ଆଉ କଂଗ୍ରେସ କହିଛି ଏଥିରେ ପାତର ଅନ୍ତର ନୀତି ପ୍ରତିଫଳିତ ହେବ। ସେପଟେ ପ୍ରତିକ୍ରିୟା ରଖି ବିଜେଡି କହିଛି, ଅସଙ୍ଗତି ରହିବ ନାହିଁ ଓ ପୁରା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ।

ମାର୍ଚ୍ଚ ଶେଷ ସୁଦ୍ଧା ଲଟେରୀ ହେବ ବୋଲି ସୂଚନା ରହିଛି। ଜିଲ୍ଲାପାଳମାନେ ଲଟେରୀ ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରିବେ। ତେବେ ଏହାଦ୍ୱାରା ସ୍ୱଚ୍ଛତା କେତେ ଆସୁଛି ଓ ସରକାରଙ୍କ ରାଜସ୍ୱ କେତେ ଅଭିବୃଦ୍ଧି ହେଉଛି ତା ଉପରେ ନଜର ରହିଛି।

କଟକରୁ ଗୌତମ ପଣ୍ଡା, ଭୁବନେଶ୍ୱରରୁ ବଳରାମ ମହାନ୍ତି ଓ ଜଗଦୀଶ ଦାସଙ୍କ ରିପୋର୍ଟ

You might also like