ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ୱନ୍ଦ୍ୱ
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କର କେତେ ନିଜସ୍ୱ ତାକୁ ନେଇ ଦ୍ୱନ୍ଦ୍ୱ? କାରଣ ଅାଜି ଅତିରିକ୍ତ ବଜେଟ ସଂପର୍କରେ ସୂଚନା ଦେଇ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ଯେଉଁ ସୂଚନା ଦେଇଥିଲେ ତାହା ରାଜ୍ୟ ସରକାରଙ୍କ ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଏକ ଅମ୍ବ୍ରେଲା ଯୋଜନା, ଯେଉଁ ଥିରେ ୧୩ଶହ ୭୫ କୋଟି ରାଜ୍ୟର ଓ ୭ ଶହ କୋଟି ଟଙ୍କା କେନ୍ଦ୍ରର ବୋଲି କହିଥିଲେ ଅର୍ଥ ସଚିବ।
ତେବେ ଗଣମାଧ୍ୟମରେ ଏସଂପର୍କିତ ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ସ୍ପଷ୍ଟୀକରଣ ଦେଇଛି। ସ୍ୱାସ୍ଥ୍ୟ ସହାୟତା ବାବଦକୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ମୋଟ ୧୦୦୩ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ NHM ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଯୋଜନା ଓ ଏ ବାବଦକୁ ୭୮୫ କୋଟି ଖର୍ଚ୍ଚ ହେବ। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ଏହାର କୌଣସି ସଂପର୍କ ନଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ତେବେ ଅର୍ଥ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ କଥାରେ ତାଳମେଳ ନଥିବାରୁ କିଏ ଠିକ୍, ତାକୁ ନେଇ ଉଠିଛି ପ୍ରଶ୍ନ।
ମୋଦି କେୟାର କୁହାଯାଉଥିବା ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ ନକରି ଓଡ଼ିଶା ସରକାର ଅଗଷ୍ଟ ୧୫ରୁ ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିବାକୁ ନେଇ କେନ୍ଦ୍ର-ରାଜ୍ୟ ଭିତରେ ଟଣାଓଟରା ଲାଗି ରହିଛି। ତା ଭିତରେ ଅାଜିର ଦ୍ୱନ୍ଦ୍ୱ ନୂଅା ଫର୍ଦ୍ଦ ଯୋଡ଼ିଛି।