ବସ ଟର୍ମିନାଲକୁ ନେଇ ବଢିବାରେ ଲାଗିଛି ବିବାଦ
ସରକାର ଗଳାବାଟ ଖୋଜି ନାହାନ୍ତି ତ ?
କଟକ: କଟକ ଖାନନଗର ପ୍ରସ୍ତାବିତ ନୂଆ ବସ ଟର୍ମିନାଲକୁ ନେଇ ବିଜେଡିରେ ବିବାଦ ତେଜୁଥିବା ବେଳେ ପଦାକୁ ଆସିଛି ନୂଆ ତଥ୍ୟ। ପୂର୍ବରୁ ମୈତ୍ରୀ ସଂସଦ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାରେ ଗୋପାଳପୁରରେ ବସ ଟର୍ମିନାଲ ହେବ ବୋଲି ସରକାର ହାଇକୋର୍ଟରେ ସତ୍ୟପାଠ କରିଥିଲେ। କିନ୍ତୁ ଏବେ କାହିଁକି ସ୍ଥାନ ବଦଳାଇ ଖାନ ନଗରରେ କରିବାକୁ ନିଷ୍ପତ୍ତି ନିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ। କଟକ ସହର ଭିତରେ ଟ୍ରାଫିକ ସମସ୍ୟା ଏଡାଇବାକୁ ଗୋପାଳପୁରରେ ବସଷ୍ଟାଣ୍ଡ ନିର୍ମାଣ ଲାଗି ସ୍ଥିର ହୋଇଥିଲା। ମାତ୍ର ଖାନନଗରରେ ଟର୍ମିନାଲ ନିର୍ମାଣ ହେଲେ ଏହି ସମସ୍ୟାର କିପରି ସମାଧାନ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ନିଷ୍ପତ୍ତି ପରିବର୍ତ୍ତନର କାରଣକୁ ନେଇ ବି ଚର୍ଚ୍ଚା ଲାଗି ରହିଛି। ଗୋପାଳପୁର ଜମି ଜବରଦଖଲରେ ଥିବାରୁ ସରକାର ଗଳାବାଟ ଖୋଜି ନାହାନ୍ତି ତ ?
ତେବେ ଆବେଦନକାରୀ କହିଛନ୍ତି ଯେ, ସରକାର ନିଜେ କୋର୍ଟରେ କହିଲେ ଆମେ ପଦକ୍ଷେପ ନେଲୁଣି। କିନ୍ତୁ ୧୯ ରୁ ୨୧ ମସିହା ହେଲାଣି ସେ କାମ କରିନାହାନ୍ତି। ତେବେ ଏଠି କରିବେ କି ନକରିବେ ସେ ଜାଣିଥିବେ।
ବସ ଟର୍ମିନାଲକୁ ନେଇ ବଢିବାରେ ଲାଗିଛି ବିବାଦ। ଏପରିକି ଶାସକ ଦଳର ସାଂସଦ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାନ ବଦଳାଯିବାକୁ ନେଇ ଏବେ ଉଠିଛି ପ୍ରଶ୍ନ। ବଦଳିବ କି ବସ୍ ଟର୍ମିନାଲ ସ୍ଥାନ? #NetajiBusTerminal #Cuttack pic.twitter.com/wQCRGp99Qh
— ଓଟିଭି (@otvkhabar) January 30, 2021
ଖାନନଗରରେ ବସ ଟର୍ମିନାଲ ହେଲେ ଏଠାରେ ଥିବା ବିଶ୍ୱନାଥ ପାଠାଗାର, ପାର୍କ,ଶ୍ମଶାନ ପ୍ରଭୃତି ଭାଙ୍ଗିବାକୁ ପଡିବ ବୋଲି ଜଣାପଡ଼ିଛି। ଯାହାକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ଏନେଇ ଖାନନଗର ବାସିନ୍ଦା ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ଦେଇଛନ୍ତି। ତେବେ କଟକରେ ବିଶ୍ୱସ୍ତରୀୟ ବସଷ୍ଟାଣ୍ଡର ଆବଶ୍ୟକତା ଥିବା କହିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।
ପୂର୍ବରୁ ଖାନନଗରରେ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଅନ୍ତଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା। କଟକ ସାଂସଦ ଭର୍ତ୍ତୃହରି ମହତାବ ଖାନନଗରକୁ ବସଟର୍ମିନାଲ ନିର୍ମାଣ ଲାଗି ଅନୁପଯୁକ୍ତ ସ୍ଥାନ କହିବା ସହ ଏନେଇ ତାଙ୍କର ଓ ସ୍ଥାନୀୟ ଲୋକଙ୍କର ମତାମତ ନିଆଯାଇ ନଥିବା କହି କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ସରକାରଙ୍କ ନିଷ୍ପତ୍ତିକୁ ଉଚିତ ଦର୍ଶାଇଥିଲେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ।
କଟକରୁ ଦେବାଶିଷ ମହାନ୍ତି ଓ ବିଶ୍ୱଜିତ ଆଚାର୍ଯ୍ୟଙ୍କ, ଗୌତମ ପଣ୍ଡାଙ୍କ ରିପୋର୍ଟ