ଭିତରକନିକା ଅଭୟାରଣ୍ୟ ସୀମା ନିର୍ଦ୍ଧାରଣକୁ ନେଇ ମୁଣ୍ଡ ଟେକିଲା ବିବାଦ

ସୀମାକୁ ନେଇ ବିବାଦ

ଭିତରକନିକା: ଭିତରକନିକା ଅଭୟାରଣ୍ୟ ସୀମା ନିର୍ଦ୍ଧାରଣକୁ ନେଇ ବିବାଦ। ଭିତରକନିକାକୁ ଅଭୟାରଣ୍ୟ ମାନ୍ୟତା ମିଳିବା ବେଳେ ୪୧୦ ଟି ଗାଁ ଅଭୟାରଣ୍ୟ ମଧ୍ୟରେ ରହିଥିଲା। ୪ ଦଶନ୍ଧି ପରେ ଭିତରକନିକା ସୀମା ନିର୍ଦ୍ଧାରଣ କରାଯାଇଥିବା ବେଳେ ମାତ୍ର ରାଜନଗର ବ୍ଲକର ୫୨ଟି ଗାଁ ଏଥିରୁ ବାଦ ପଡିଛି। ଏବେ ୩୫୦ରୁ ଅଧିକ ଗାଁ ଅଭୟାରଣ୍ୟ ମଧ୍ୟରେ ଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି।

୨୨ ଅପ୍ରେଲ ୧୯୭୫ମସିହାରେ ଭିତର କନିକାର ୬୭୨ ବର୍ଗ କିମିି ଅଂଚଳକୁ ରାଜ୍ୟ ସରକାର ଅଭୟାରଣ୍ୟ ବା ଓ୍ୱାଇଲ୍ଡ ଲାଇଫ ସେଞ୍ଚୁରୀ ଘୋଷଣା କରିଥିଲେ। ସେତବେଳ ଭିତରକନିକାର ସୀମା ନିର୍ଦ୍ଧାରଣ କରାନଯାଇ କନିକା ଶାସିତ ଅଂଚଳକୁ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। ଅଭୟାରଣ୍ୟ ମାନ୍ୟତା ପାଇବାର ଦୀର୍ଘ ୪୫ ବର୍ଷ ପରେ ପୁନଃ ସୀମା ନିର୍ଦ୍ଧାରଣ କରାଯାଇଛି। ପୁନଃ ସୀମା ନିର୍ଦ୍ଧାରଣରେ ଭିତରକନିକା ଅଭୟାରଣ୍ୟ ଅଂଚଳରୁ ରାଜନଗର ବ୍ଲକର ୫୨ଟି ଗାଁକୁ ବାଦ ପଡିଛି। କେଉଁ ମାନଦଣ୍ଡକୁ ନେଇ ରାଜନଗର ବ୍ଲକର ୫୨ଟି ଗାଁକୁ ବାଦ ଦିଆଗଲା ସେ ନେଇ ଉଠିଛି ପ୍ରଶ୍ନ।

କେବେଳ ଏତିକି ନୁହେଁ ଅଭୟାରଣ୍ୟ ସଂପର୍କିତ କୌଣସି ଆଇନ ଏ ଅଂଚଳରେ ଲାଗୁ ହେବନାହିଁ। ରାଜନଗର ବ୍ଲକର ଯେଉଁ ଅଂଚଳରେ ଭିତରକନିକାର ଜଙ୍ଗଲର ଚିହ୍ନ ବର୍ଣ୍ଣ ନାହିଁ ସେହି ଅଂଚଳ ଗୁଡିକୁ ଅଭୟାରଣ୍ୟ ଅନ୍ତର୍ଭୁକ୍ତ କରାଯିବାକୁ ନେଇ ଜନ ଅସନ୍ତୋଷ ବଢ଼ିଛି। ଭିତର କନିକା ଅଭୟାରଣ୍ୟର ସୀମା ପୁନଃ ନିର୍ଦ୍ଧାରଣ ପରେ ଏବେ ବି ରାଜନଗର ବ୍ଲକର ୨୫ ଟି ପଂଚାୟତର ୨୨୬ଟି ଗାଁ ଏଥିରେ ଅନ୍ତର୍ଭୁକ୍ତ ରହିଛି।

ଏହି ସବୁ ଗାଁ ଗୁଡିକରେ ଅଭୟାରଣ୍ୟ ଆଇନ ସହିତ ଇକୋ ସେନସେଟିଭ ଜୋନ ଆଇନ କଡାକଡି ଭାବେ ଲାଗୁ ହେବ। ଏଠାରେ କୌଣସି ଉନ୍ନୟମ କିମ୍ବା ଶିଳ୍ପ ଭିତ୍ତିକ କାମ କରାଗଲେ ବନ ବିଭାଗର ଅନୁମତି ଆବଶ୍ୟକ ନେବାକୁ ହେବ। ଏହାକୁ ନେଇ ଜନ ଅସନ୍ତୋଷ ବଢୁଥିବା ବେଳେ ପୁନଃ ସୀମା ନିର୍ଦ୍ଧାରଣ ଲାଗି ସରକାରଙ୍କୁ ଜଣାଯିବ ବୋଲି ବନ ବିଭାଗ କହିଛି।

ଅଭୟାରଣ୍ୟ ମାନ୍ୟତା ପାଇବାର ୪୫ ବର୍ଷ ପରେ ଭିତର କନିକାରେ ସୀମା ନିର୍ଦ୍ଧାରଣ କରାଯାଇଛି। ତେବେ ତ୍ରୁଟିପୂର୍ଣ୍ଣ ସୀମା ନିର୍ଦ୍ଧାରଣ ଯୋଗୁଁ ଅନେକ ଗାଁ ରାଜନଗର ବ୍ଲକରୁ ବାଦ ପଡିଛି। ସରକାର ଶୀଘ୍ର ଏଥି ପ୍ରତି ଧ୍ୟାନ ଦେଇ ପୁନଃ ସୀମା ନିର୍ଦ୍ଧାରଣ କରିବାକୁ ଦାବି ହୋଇଛି।

You might also like