କଣ୍ଟେନମେଣ୍ଟ ଜୋନ୍କୁ ନେଇ ବିବାଦ: ସେପଟେ ପବ୍ଲିକ ଏପଟେ ପୁଲିସ୍ ମଝିରେ ନିଆଁ, ବର୍ଷିଛି ଟେକା ପଥର
ଭୁବନେଶ୍ୱର: କରୋନାର କରାଳ କାୟା ଭିତରେ କଣ୍ଟେନମେଣ୍ଟ ଜୋନ୍କୁ ନେଇ ତେଜୁଛି ବିବାଦ। କେଉଁଠି ବିଦ୍ରୋହ ତ ଆଉ କେଉଁଠି ବିକ୍ଷୋଭ। ମାସେ ଧରି ବଳବତ୍ତର ଥିବା କଣ୍ଟେନମେଣ୍ଟ ଜୋନ୍ର ଉଚ୍ଛେଦ ଦାବି କରି ଆଜି ରାଉରକେଲା ମହତାବ ରୋଡ୍ରେ ହଙ୍ଗାମା କରିଥିଲେ ସ୍ଥାନୀୟ ବାସିନ୍ଦା। ଏପରିକି ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି ସତ, କିନ୍ତୁ ସମାଧାନର ବାଟ ଫିଟିନି। ତେବେ ରାଉରକେଲା ନୁହଁ, ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳରେ ବି ଦେଖିବାକୁ ମିଳିଛି ଜନ ଅସନ୍ତୋଷ।
ରାଉରକେଲାର ମହତାବ ରୋଡ୍ରେ ହଙ୍ଗାମା କରିଥିବା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ମାସେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧୁସୂଦନ ନଗରରୁ ଏ.ବି ଲେନ୍ ଏବଂ ଜନତା ନିବାସ ଗଳିରୁ ପାୱାର ହାଉସ୍ ରୋଡ୍କୁ ବଫର ଜୋନ୍ ଘୋଷଣା କରାଯାଇଥିଲା।
ସେହିପରି ଏ.ବି. ଲେନ୍ରୁ ଜନତା ନିବାସ ଗଳି ରହିଥିଲା କଣ୍ଟେନମେଣ୍ଟ ଜୋନ୍ ଭିତରେ। ତେବେ ଗତକାଲି ବିଳମ୍ବିତ ରାତିରେ ବଫର୍ ଜୋନ୍ ଉଠାଇ ଦିଆଯାଇଥିବା ବେଳେ କଣ୍ଟେନମେଣ୍ଟ ଜୋନ୍କୁ କେବଳ ସଙ୍କୁଚିତ କରି ଦିଆଯାଇଥିଲା। ଯାହାର ପ୍ରତିବାଦରେ ଆଜି ମହତାବରୋଡ୍ରେ ତମ୍ବିତୋଫାନ୍ କରିଥିଲେ ସ୍ଥାନୀୟ ବାସିନ୍ଦା।
ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି। ଏଥିରେ ପ୍ଲାଣ୍ଟସାଇଟ୍ ଥାନାର ଏସ୍ଆଇ ଦିଲ୍ଲୀପ ମୁର୍ମୁଙ୍କ ସହ ୧୨ ପୋଲିସ କର୍ମଚାରୀ ଏବଂ କିଛି ଲୋକ ଆହତ ହୋଇଛନ୍ତି।
ଏହି କଣ୍ଟେନମେଣ୍ଟ ଜୋନ୍ରେ ଚିହ୍ନଟ ରୋଗୀ ଏବେ ବି ଚିକିତ୍ସାଧିନ ଅଛନ୍ତି। ୨ ସପ୍ତାହ ତଳେ ସମାନ ଦାବି ଉଠାଇ ପୋଲିସ ଉପରକୁ ଏଭଳି ଢେଲାପଥର ମାଡ଼ କରିଥିଲେ ମହତାବରୋଡ୍ର କିଛି ଲୋକ। ଆଜି ପୁଣି ଥରେ ସମାନ ସ୍ଥିତି ସୃଷ୍ଟି ହୋଇଥିଲା ଏହାପରେ ଘଟଣାସ୍ଥଳକୁ ପଶ୍ଚିମାଞ୍ଚଳ ଡିଆଇଜି, ଏସ୍ପି, ଜିଲ୍ଲାପାଳ ଓ ଆର୍ଏମ୍ସି କମିଶନର ପ୍ରମୁଖ ଯାଇଥିଲେ। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ବି ଅପରାହ୍ଣ ଯାଏଁ ସମାଧାନର ବାଟ ଫିଟିନଥିଲା।ଟ
ଏବେ ବି ଅସନ୍ତୋଷ ଲାଗିରହିଥିବାରୁ ସେଲ୍ ଛକରେ ୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।
ସେପଟେ କଣ୍ଟେନ୍ମେଣ୍ଟ ଜୋନ୍ ଭିତରେ ଅବ୍ୟବସ୍ଥାର ଅଭିଯୋଗ ଆଣି ପ୍ରତିବାଦର ସ୍ୱର ଉଠାଇଛନ୍ତି ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ନିକଟ କଳାଝରି ଗ୍ରାମବାସୀ। କଣ୍ଟେନମେଣ୍ଟ ଜୋନ୍କୁ ବିରୋଧ କରି ଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ୩ ଦିନ ତଳେ ଏ ଅଂଚଳରୁ ଜଣେ ପଜିଟିଭ୍ ଚିହ୍ନଟ ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା ହେଲେ ଜରୁରୀ ସାମଗ୍ରୀ ନଯୋଗାଇବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ ଗାଁ ଲୋକେ।