ଭୁବନେଶ୍ୱର: ପୁରୀରେ ବିଚାରଧିନ କଏଦୀଙ୍କ କୋଭିଡ୍-୧୯ ପଜିଟିଭ୍ ଆସିବା ପରେ ଚିନ୍ତାରେ ପ୍ରଶାସନ। ବିଚାରଧୀନ କଏଦୀଙ୍କ ସଂସ୍ପର୍ଶରେ ଆସିଥିବା ଥାନା, ଡାକ୍ତରଖାନା, କୋର୍ଟ ଏବଂ ଜେଲ୍ କର୍ମଚାରୀଙ୍କ ଚିନ୍ତା ବଢାଇଛି। କୁମ୍ଭାରପଡ଼ା ପୋଲିସ ଓ ପୁରୀ ଜେଲ୍ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି।
ଏହା ସହ କୋର୍ଟରେ ବେଲ୍ ପିଟିସନ୍ ବେଳେ କଏଦୀଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସେହିପରି କଏଦୀଙ୍କ ଡାକ୍ତରୀମାଇନା କରିଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବା ନେଇ ବ୍ୟବସ୍ଥା କରାଯାଉଛି।
ଥାନା, ଡାକ୍ତରଖାନା, କୋର୍ଟ ଓ ଜେଲ୍ ଓ୍ୱାର୍ଡକୁ ସାନିଟାଇଜ୍ କରାଯାଇଛି। ସେପଟେ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ମାର୍କେଟ ଛକରୁ ପୁଷ୍କରିଣୀ ପର୍ଯ୍ୟନ୍ତ ଯାତାୟତ ବନ୍ଦ ରହିଛି। ଜଟିଆ ବାବାଜୀ ଛକରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ।
ଗତକାଲି ପୁରୀରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରହିବାକୁ ଏସପି କହିଥିଲେ। ଜଣେ ଗିରଫ ଅଭିଯୁକ୍ତଙ୍କ ନମୁନା କରୋନା ପଜିଟିଭ ଆସିବା ପରେ ଥାନା IICଙ୍କ ସହ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ।