ଭୁଶୁଡ଼ି ପଡ଼ିବ ଜରା ନିବାସର ଗୋଶାଳା…ନିମ୍ନମାନର କାମ ଅଭିଯୋଗ

ଧାମନଗର (ମନୋଜ କୁମାର ଦାସ) : ଧାମନଗରରେ ନିର୍ମାଣାଧିନ ଜରା ନିବାସର ଗୋଶାଳା ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିବ। କହିବାକୁ ଗଲେ,ଉଦଘାଟନ ହେବା ବେଳକୁ ଏହି ଗୋଶାଳା ତିଷ୍ଠି ରହିବ କି ନାହିଁ ସନ୍ଦେହ ଦେଖାଦେଇଛି। ନିମ୍ନମାନର କାମ ହିଁ ଏହାର ଏକମାତ୍ର କାରଣ ହେବ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟରେ ସମନ୍ୱିତ ସାମାଜିକ ନିରାପତ୍ତା ଭିତ୍ତିଭୂମି ପ୍ରକଳ୍ପ ବା ଜରା ନିବାସ ନିର୍ମାଣ ହେଉଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ହେଉଥିବା ଏହି ପ୍ରକଳ୍ପକୁ କୋଲକାତାର ବ୍ରିଜ୍ ଆଣ୍ଡ ରୁଫ କଂପାନୀ ନିର୍ମାଣ କରୁଛି।

କେନ୍ଦ୍ର ସରକାରଙ୍କ ଭାରୀ ଶିଳ୍ପ ବିଭାଗ ଅଧିନରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ ଏହି କାମକୁ କ୍ଷେତ୍ରୀୟ କ୍ରିୟାନ୍ୱୟନ କରିବା ଲାଗି ପାରାଦୀପ ଅଞ୍ଚଳର ଠିକାଦାର ତାପସ ଜେନା ଦାୟିତ୍ୱ ନେଇଛନ୍ତି।

କୋଲକାତା ମେଦିନାପୁର ଏବଂ ମୁର୍ଶିଦାବାଦ ଅଞ୍ଚଳରୁ ୫୨ ଜଣ ଶ୍ରମିକଙ୍କୁ ଆଣି କାମ କରୁଛନ୍ତି। ବ୍ରିଜ୍ ଆଣ୍ଡ ରୁଫ୍ ସଂପୂର୍ଣ୍ଣ ଏକଜିକ୍ୟୁସନ ଦାୟିତ୍ୱ ନେଇଥିଲେ ବି କାମ ହେଉଥିବା ସ୍ଥାନରେ କେହି ଇଂଜିନିୟର ରହୁନାହାନ୍ତି।

ସମନ୍ୱିତ ପ୍ରକଳ୍ପରେ ୫ଟି ନିବାସ ରହିବ। ଗୋଟିଏ ଜରା ନିବାସ, ଗୋଟିଏ ଜିଲ୍ଲାସ୍ତରୀୟ ଥଇଥାନ କେନ୍ଦ୍ର, ଗୋଟିଏ ନିଶା ନିବାରଣ କେନ୍ଦ୍ର, ଗୋଟିଏ ମାନସିକ ଅନଗ୍ରସର ନିବାସ, ଗୋଟିଏ କିନ୍ନର ଥଇଥାନ ଓ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଗୋଶାଳ ରହିବ। ଏହାସହ କଂପ୍ଲେକ୍ସରେ ପାର୍କ ବା ଅବସର ବିନୋଦନ ଉଦ୍ୟାନ ରହିବ। ସମନ୍ୱିତ ପ୍ରକଳ୍ପର ଜରା ନିବାସ ପାଇଁ ପାଇଲିଂ ହୋଇ ଖୁଣ୍ଟ ପୋତା ଯାଇସାରିଛି। ଏବେ ଗୋଶାଳା ନିର୍ମାଣ ହେଉଛି।

ବ୍ରିଜ ଆଣ୍ଡ ରୁଫର କୌଣସି ଯନ୍ତ୍ରୀ କି ଅଧିକାରୀ ରହୁନଥିବାରୁ ଠିକାଦାର ମନଇଛା କାମ କରୁଛନ୍ତି। ଗୋଶାଳାର ଦକ୍ଷିଣ ପଟ କାନ୍ଥର ପ୍ଲିନ୍ଥଠାରୁ ଉପରକୁ ୧୫ ରଦା, ଏବଂ ଦକ୍ଷିଣ ଦିଗରୁ ଉତ୍ତରକୁ ଲମ୍ବିଥିବା ପୂର୍ବ ପଟ କାନ୍ଥର ୭ ରଦା ଏବଂ ଦକ୍ଷିଣ ପଟୁ ପ୍ରଥମ ୨ଟି କୋଠରୀର ପାର୍ଟିସନ ୱାଲ ଏକବାର ନିମ୍ନମାନର ହୋଇଛି। ଏହିସବୁ କାନ୍ଥରେ ଇଟା ଯୋଡ଼େଇ ପାଇଁ ସିମେଣ୍ଟ ଓ ବାଲି ବଦଳରେ ସିମେଣ୍ଟ ଏବଂ ମାଟି ମିଶାଇ ଯୋଡ଼େଇ କରାଯାଇଛି। ଏନେଇ ଠିକାଦାରଙ୍କୁ ଜଣାଇବାରୁ ଭୁଲ ହୋଇଛି। ଏହିସବୁ କାନ୍ଥ ଭାଙ୍ଗିଦେବୁ ବୋଲି କହିଥିଲେ। ହେଲେ ପରଦିନ କାନ୍ଥରେ ସିମେଣ୍ଟ ଘୋଳା ବୋଳି ଚକାଚକ କରି ଦେଇଥିବା ଦେଖିବାକୁ ମିଳିଛି।

ଏ ସଂପର୍କରେ ବେରିଜ ଆଣ୍ଡ ରୁଫ୍ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ।

You might also like