ଭୁବନେଶ୍ୱର ଧର୍ମସଭାରେ ସାମିଲ ହେଲେ ଶହ ଶହ ସାଧୁସନ୍ଥ

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଏକଜୁଟ୍ ହେଲା ବିଶ୍ୱ ହିନ୍ଦୁ ପରିଷଦ

ଭୁବନେଶ୍ୱର : ରାମଧ୍ୱନୀରେ ପ୍ରକମ୍ପିତ ଗାନ୍ଧୀମାର୍ଗ। ହଜାର ହଜାର ଶ୍ରଦ୍ଧାଳୁଙ୍କ ମୁଖରେ ରାମନାମ ସହ ସଂକୀର୍ତ୍ତନ। କିଏ ସଂକୀର୍ତ୍ତନରେ ମସଗୁଲ ତ ଆଉ କିଏ ରାମ ଭକ୍ତିରେ ବିଭୋର। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ସହ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରବିବାର ଭୁବନେଶ୍ୱର ଲୋଏର ପିଏମଜିରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଆୟୋଜିତ ହୋଇଥିଲା ବିଶାଳ ସମାବେଶ।

ଭୁବନେଶ୍ୱର ସହ  ଦେଶର ୫ ଶହଟି ସ୍ଥାନରେ ଏହିଭଳି ସମାବେଶର ଆୟୋଜନ କରାଯାଇଥିଲା। ଓଡ଼ିଶାରେ ଡିସେମ୍ବର ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଧର୍ମାନୁଷ୍ଠାନରେ ସଙ୍କଳ୍ପ ସମାବେଶ ଆୟୋଜନ କରାଯିବ ବୋଲି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।

ସେପଟେ ବାଲେଶ୍ୱରରେ ମଧ୍ୟ ଶୁଣିବାକୁ ମିଳିଛି ରାମ ମନ୍ଦିର ନିର୍ମାଣ ପାଇଁ ରଣହୁଙ୍କାର। ବାଲେଶ୍ୱର ITI ପଡିଆରେ ଆୟୋଜିତ ସଙ୍କଳ୍ପ ସମାବେଶରେ ମହନ୍ତ କହ୍ନେୟା ଦାସ ମହାରାଜ ସାମିଲ ହୋଇ ଆସ୍ଥା ଓ ଧର୍ମ ଲାଗି ଲଢ଼େଇ କରିବାକୁ ଆହ୍ୱାନ କରିଥିଲେ। ଏହି ସମାବେଶରେ ହଜାର ହଜାର ହିନ୍ଦୁ ସଙ୍ଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ।

ସେହିପରି ବ୍ରହ୍ମପୁର ସହର ଉପକଣ୍ଠ ଚନ୍ଦ୍ରଚୁଡେଶ୍ୱର ମନ୍ଦିର ନିକଟରେ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବା ନେଇ ଏହି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ଏଥିରେ ୧୦୦ରୁ ଅଧତ୍କ ସାଧୁ ସନ୍ଥଙ୍କ ସହ ଶହଶହ ପରିଷଦର କର୍ମୀ ଯୋଗ ଦେଇଥିଲେ।

ମୁଖ୍ୟଅତିଥି ଭାବେ କେନ୍ଦ୍ରୀୟ ସଂପାଦକ ଧର୍ମନାରାୟଣ ଶର୍ମା ଯୋଗଦେଇ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ।

You might also like