ଗୃହରେ ତେଲ ତାତି, କଂଗ୍ରେସ କହିଲା ଉଭୟ ସରକାର କମାନ୍ତୁ ଦର…

ସରକାର କମାନ୍ତୁ ତୈଳ ଦର

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ଯେଉଁଥି ଲାଗି ହନ୍ତସନ୍ତ ହେଉଛନ୍ତି ଲୋକେ। ମୋଟ୍‌ ଉପରେ କହିବାକୁ ଗଲେ ଖାଇବା ତେଲର ଦାମ ଯେମିତି ଭାବରେ ବୃଦ୍ଧି ପାଉଛି ତାହାକୁ ନେଇ ଏବେ ଚିନ୍ତାରେ ଗୃହିଣୀ। କେମିତି ଓ କେତେ କମାଇବେ ସେ କଥା କିଛି ମୁଣ୍ଡରେ ପଶୁନାହିଁ। ଯେଉଁ ତେଲର ଦାମ ୮୦ ରୁ ୯୦ ଥିଲା ତାହା ଏବେ ୧୪୦ ରେ ପହଞ୍ଚିଲାଣି। ଗୋଟିଏ ପଟେ କରୋନା ମାଡରୁ ଉଠିପାରିନାହାନ୍ତି ଅନେକ ଲୋକ ଆଉ ପୁଣି ଥରେ ବୋଝ ଉପରେ ନଳିତା ବିଡା ସଦୃଶ ଦରଦାମର ମହଙ୍ଗା ମାଡ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିପକାଇଲାଣି।

ଆଉ ଏହି ପ୍ରସଙ୍ଗକୁ ଆଜି ଗୃହରେ ଉଠାଇଛନ୍ତି ବିରୋଧୀ। କଂଗ୍ରେସ ନେତା ସୁର କହବିଛନ୍ତି ଯେ, ଖାଇବା ତେଲର ଦାମ ଏମିତି ବଢିଲାଣି ଯେ କହିଲେ ମୁଣ୍ଡ ବୁଲାଇ ଦେଉଛି। ଦରଦାମ ସାଙ୍ଘାତିକ ଭାବରେ ବଢୁଛି। ଖାଇବା ତେଲ ଯଦି ୧୭୦ ଟଙ୍କାରେ ପହଞ୍ଚିବ ତେବେ ଲୋକେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ସୁର। ଯେଉଁଠି ଦିନେ ୭୦ ଟଙ୍କାରେ ଖାଇବା ତେଲ ମିଳୁଥିଲା ତାହା ଏବେ ୧୭୦ ରେ ପହଂଚିଲାଣି। ଗ୍ୟାସ ୭୦ ଟଙ୍କା ବଢିସାରିଲାଣି, ପନିପରିବାର ଦାମ ମଧ୍ୟ ସମାନ। ମସଲା ସହ ଡାଲି ରେଟ୍‌ ବି ବଢିଲାଣି। ଭୟଙ୍କର ପରିସ୍ଥିତି ହେଲାଣି, ସବୁ  ଜିନିଷର ଦାମ ବଢାଇଦେଲେ ଲୋକ ଚଳିବେ କେମିତି? ଖାଇବେ କଣ? ବୋଲି ପ୍ରଶ୍ନ କରିଛନ୍ତି ସୁର। ମୋଦି ସବୁ ଦରଦାମ ବଢାଇବାରେ ଲାଗିଛନ୍ତି। ତେଲ ବଢିବା କାରଣରୁ ବସ, ଟ୍ରକ ଓ ଟ୍ରେନର ଦାମ ବଢିଲା। ତେଣୁ ସବୁ ସାମଗ୍ରୀର ଦାମ ବଢିଗଲା। ଗୋଟିଏ ପଟେ ମୋଦି ବଢାଉଛନ୍ତି ଅନ୍ୟପଟେ ନବୀନ ବାବୁ ତାଙ୍କୁ ଅନୁସରଣ କରୁଛନ୍ତି ବୋଲି ସୁର କହିଛନ୍ତି।  ଏହାସହ ସେ କହିଛନ୍ତି ରାଜ୍ୟ ସରକାର ସେସ୍‌ କାଟିଦେଲେ ଦର କମିଯାଆନ୍ତା। ଜାଣିଶୁଣି ଏମାନେ ରେଟ୍‌ ବଢାଉଛନ୍ତି। କେନ୍ଦ୍ର-ରାଜ୍ୟ ଦୁଇଟି ଯାକ ସରକାର ଅପରାଗ ବୋଲି କହିବା ସହ ଦରଦାମ ନକମାଇଲେ ଲୋକେ ହଇରାଣ ହେବେ ବୋଲି ସୁର କହିଛନ୍ତି।

ସେପଟେ ତାରା କହିଛନ୍ତି, ୬ ମାସରେ ଖାଇବା ତେଲ ଡବଲ ହୋଇଗଲା। ଯାହାର ଦାମ ୭୦ ଟଙ୍କା ଥିଲା ତାହାକୁ ୧୭୦ କଲେଣି ସରକାର। ତୁରନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ତେଲ ଉପରେ ୧୦ ଟଙ୍କା କମାନ୍ତୁ ବୋଲି କଂଗ୍ରେସ ଦାବି କରିଛି ବୋଲି ତାରା କହିଛନ୍ତି। ତେବେ ଏନେଇ ଶାସକଦଳର ପ୍ରତିକ୍ରିୟା  ମିଳିପାରିନାହିଁ।

You might also like