ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କଲେ ରାହୁଲ

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତ ବେଳେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ଆଜି ଭୁବନେଶ୍ୱରରେ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ ବେଳେ ରାହୁଲ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ସମାଲୋଚନା କରି କହିଛନ୍ତି, ଓଡ଼ିଶାରେ ଏକ ଅମଲାତାନ୍ତ୍ରିକ ଏକଛତ୍ରବାଦ ଚାଲିଛି। ନବୀନ ଏଠାରେ ଏକପ୍ରକାର ଏକଛତ୍ରବାଦୀ ଶାସନ ଚଳାଇଛନ୍ତି। ଓଡ଼ିଶା ଲୋକଙ୍କୁ ଏହି ଗଣତନ୍ତ୍ର ଏକଛତ୍ରବାଦରୁ ମୁକ୍ତିଦେବା କଂଗ୍ରେସର ଲକ୍ଷ୍ୟ ବୋଲି ରାହୁଲ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ନବୀନ-ମୋଦି ଏକାଠି ଅଛନ୍ତି, ଗୋଟିଏ ରାସ୍ତାରେ ଚାଲୁଛନ୍ତି। ମୋଦିଙ୍କ ପ୍ରତି କଥାରେ ନବୀନ ତାଙ୍କୁ ସହଯୋଗ କରୁଛନ୍ତି। ଓଡ଼ିଶା ଏବଂ ଗୁଜରାଟରେ ଏକା ପ୍ରକାର ମଡେଲ୍ ସରକାର ଚାଲିଛି। ଏଭଳି ସରକାର ହଟିବା ଦରକାର ବୋଲି ରାହୁଲ କହିଛନ୍ତି।

ସେହିପରି କାଳିଆ ଯୋଜନାକୁ ସମାଲୋଚନା କରି ରାହୁଲ କହିଛନ୍ତି, କଂଗ୍ରେସ ସରକାର ଛତିଶଗଡ଼ରେ ଋଣ ଛାଡ଼ କରିବା ପରେ ନବୀନଙ୍କ ନିଦ ଭାଙ୍ଗିଛି। ଏତେ ବର୍ଷ ହେଲାଣି ନବୀନ ଚାଷୀଙ୍କ ପାଇଁ କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ନା ନବୀନ ନା ମୋଦି, କେହି ଚାଷୀଙ୍କ ପ୍ରତି ସମ୍ବେଦନ ନୁହଁନ୍ତି ବୋଲି କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ।

ସେହିପରି ଓଡ଼ିଶାରେ କଂଗ୍ରେସ ଏକ ଟିମ୍  ଭାବରେ କାମ କରୁଛି। ଏଥିସହିତ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍‌କୁ ପ୍ରଶଂସା କରିଛନ୍ତି। ଦଳ ମଧ୍ୟରେ ମତଭେଦ ରହିଛି କିନ୍ତୁ ଶୃଙ୍ଖଳା ଜରୁରୀ ବୋଲି ରାହୁଲ କହିଛନ୍ତି।

ରାହୁଲ ଆଜି ଦିନ ୧୦ଟା ୫୦ ମିନିଟ୍‌ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

You might also like