ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦଳର ମଙ୍ଗ ଧରିବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସୁଥିବା ରାହୁଲ, ଭୁବନେଶ୍ୱର ତମାଣ୍ଡୋରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ।

ସେପଟେ ରାହୁଲଙ୍କୁ ସ୍ୱାଗତ କରିବାକୁ ରାଜ୍ୟ କଂଗ୍ରେସ ଜୋରଦାର ପ୍ରସ୍ତୁତି କରିଛି।  ମଞ୍ଚଠୁ ଆରମ୍ଭ କରି ପଡ଼ିଆ, କଂଗ୍ରେସ ଭବନ ସବୁଠି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ରାହୁଲ ଗାନ୍ଧି କି ବାର୍ତ୍ତା ଦେବେ ତା’ଉପରେ ସମସ୍ତଙ୍କ ନଜର। ଦଳରେ ବିଶୃଙ୍ଖଳାକାରୀଙ୍କ ଉପରେ କିଛି ଟିପ୍ପଣୀ ଦେବେ କି? ତା’ଛଡ଼ା ଚର୍ଚ୍ଚାର ପରିସରରେ ଥିବା କୃଷିଋ଼ଣ ଛାଡ଼, ବେକାରୀ ସମସ୍ୟା, ଓଡ଼ିଶାର ଦାଦନ ସମସ୍ୟା, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନ ସରକାର ସଂପର୍କରେ କିଭଳି ରହିବ ରାହୁଲଙ୍କ ଆଭିମୁଖ୍ୟ ତା’ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଦେଶ କଂଗ୍ରେସ ବାରମ୍ବାର ବିଜେଡି-ବିଜେପି ଭିତିରି ସଂପର୍କ କଥା କହୁଥିବା ବେଳେ ରାହୁଲ ଏ ଦିଗରେ କ’ଣ କହିବେ ତା’ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ଦିନ ୧୦ଟା ୪୫ରେ ରାହୁଲ ଗାନ୍ଧି ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ମୋଟର ସାଇକେଲ ରାଲିରେ ତାଙ୍କୁ ପାଛୋଟି ନିଆଯିବ। ପ୍ରଥମେ ସେ ରାଜଧାନୀରେ ହୋଟେଲ ମେଫେୟାର୍‌ରେ ‘ସମାଜ’ର ଟାଉନ୍‌ହଲ୍‌ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କରିବେ। ଅପରାହ୍ନରେ ତମାଣ୍ଡୋ ମିନି ଷ୍ଟାଡିୟମ୍‌ରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହାପରେ ପିସିସି ମୁଖ୍ୟାଳୟଠାରେ ସେ ହାଲ୍ ଓ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ସହ ସାକ୍ଷାତ କରିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

You might also like