କେଲୁଅ ନଦୀବନ୍ଧ ରାସ୍ତାକୁ ଉଡ଼ାଇବା ଘଟଣା: ବିଧାୟକ ଓ ଜେଇଙ୍କ ଉପରେ ବର୍ଷିଲେ ସୁର

ଯାଜପୁର: ଯାଜପୁର କେଲୁଅ ନଦୀ ବନ୍ଧରାସ୍ତାକୁ ଉଡ଼ାଇ ଘାଇ ସୃଷ୍ଟି କରିବା ଘଟଣାକୁ ନେଇ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକାୟୁକ୍ତ। ଆସନ୍ତା ୬ ସପ୍ତାହ ଭିତରେ ଉତ୍ତର ରଖିବାକୁ କୁହାଯାଇଛି। ସେପଟେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି।

ବିଧାୟକ ଓ ଜେଇ ଏଥିପାଇଁ ଦାୟୀ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ୮ ମାସ ପୂର୍ବରୁ ୨୪ କୋଟି ଟଙ୍କା ଖର୍ଚ୍ଚରେ ରାସ୍ତା ହୋଇଥିଲା। ତେବେ ଘାଇ ହେବା ପରେ ଏବେ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ।

କଂଗ୍ରେସର ଦାବି ପରେ ଲୋକାୟୁକ୍ତ ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ସରକାର ସେମାନଙ୍କ ହାତରେ  ତେଣୁ ମାମୁଁ, ଭଣଜା ଏଥିରୁ ଖସି ଯିବେ ବୋଲି ସୁର ଅଭିଯୋଗ କରିଛନ୍ତି। ସେହିପରି ଏହାକୁ ନେଇ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୁକ୍ତଙ୍କ ବିରୋଧରେ NSA ଲଗାଯାଉ ବୋଲି କହିଛନ୍ତି। ମାମୁଁ ଭଣଜାଙ୍କୁ ସରକାର ଘଣ୍ଟ ଘୋଡ଼ାଉଥିବା ସେ ଅଭିଯୋଗ କରିଛନ୍ତି।

ଲୋକାୟୁକ୍ତ ପାଖରେ ଥିବାରୁ ତଦନ୍ତ ଠିକ୍‌ରେ ହେବ ଏବଂ ସତ ପଦାକୁ ଆସିବ ବୋଲି ଆଶା ରଖିଛନ୍ତି ଲେଖାଶ୍ରୀ। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ। ଅଭିଯୋଗ ବହୁ ସମୟରେ ଆସେ ତେବେ ଏହା ସାବ୍ୟସ୍ତ ହେବା ଦରକାର। ଲୋକାୟୁକ୍ତ ତଦନ୍ତ କରୁଛନ୍ତି ସତ ସାମ୍ନାକୁ ଆସିବ ବୋଲି ଅମର କହିଛନ୍ତିି।

You might also like