ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

ଭୁବନେଶ୍ୱର: ପରି ପ୍ରସଙ୍ଗ ନେଇ ରାଜ୍ୟ କଂଗ୍ରେସରେ ଭିନ୍ନମତ ଦେଖାଦେଇଛି। ଏଥିପାଇଁ କଂଗ୍ରେସର ନିରବତାକୁ ନେଇ ଗତକାଲି ବିଜେପି ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା।

ପରୀ ପ୍ରସଙ୍ଗରେ ଗୃହରେ ଚୁପ୍ ରହିବାର କାରଣ କହିଛନ୍ତି ସାଲୁଜା। ସେ କହିଛନ୍ତି, ଚୁପ୍‌ର କାରଣ ସିଏଲ୍‌ପି ନେତା ଯାହା କହିଲେ ଆମେ ମାନିବାକୁ ବାଧ୍ୟ। ସିଏଲ୍‌ପି ନେତା ଯାହା କହିବେ ଆମେ କହିବାକୁ ଓ କରିବାକୁ ବାଧ୍ୟ ବୋଲି ସାଲୁଜା କହିଛନ୍ତି।  ସିଏଲ୍‌ପି ନେତାଙ୍କ ଏପରି ନିଷ୍ପତ୍ତିରେ ସେ ନିଜେ ସନ୍ତୁଷ୍ଟ ନଥିବା ସାଲୁଜା ଆଜି ଗଣମାଧ୍ୟକୁ କହିଛନ୍ତି।

ଏହାପରେ ବିଜେପିକୁ ନେଇ ସାଲୁଜା କହିଛନ୍ତି ପରୀ ପ୍ରସଙ୍ଗରେ ଦଳ ମାଇଲେଜ୍‌ ନେଉଛି। ଏନେଇ ସେ କହିଛନ୍ତି, ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ଗୃହ ଚଳାଇ ଦେଲାନି। ସରକାର ଡରିକି ମାସକ ଆଗରୁ ବିଧାନସଭା ବନ୍ଦ କରିଦେଲେ। ପରୀ ପ୍ରସଙ୍ଗରେ ବିଜେପି ମାଇଲେଜ ନେଇଛି ଓ ଆଗକୁ ବି ନେବ ବୋଲି ସାଲୁଜା କହିଛନ୍ତି। ତେବେ ଏସମ୍ପର୍କରେ କଂଗ୍ରେସର ଅନ୍ୟ କୌଣସି ନେତା କିମ୍ବା ବିଜେପିର ପ୍ରତିକ୍ରିୟା ହସ୍ତଗତ ହୋଇପାରି ନାହିଁ।

ତେବେ ଗତକାଲି ପରୀ ପ୍ରସଙ୍ଗରେ ଗୃହରେ କଂଗ୍ରେସର ନିରବତା ପରେ ଦଳକୁ ଟାର୍ଗେଟ୍ କରିଥିଲା ବିଜେପି। ପରୀ ନ୍ୟାୟ ଲଢ଼େଇରେ କଂଗ୍ରେସ ଧୋକା ଦେଇଛି। ବିଜେଡି କଂଗ୍ରେସକୁ କବଜା କରି ନେଇଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ। କିନ୍ତୁ ନିର୍ଣ୍ଣାୟକ ଲଢ଼େଇରେ ପହଞ୍ଚିବା ପାଇଁ ବିଜେପି ବଦ୍ଧ ପରିକର ବୋଲି କହିଥିଲେ ପ୍ରଦୀପ୍ତ।

ଗତକାଲି ଗୃହରେ ପରୀ ହତ୍ୟା ପ୍ରସଙ୍ଗ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାପରେ ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। କୋଭିଡ୍ କଟକଣା ଭିତରେ ମାତ୍ର ୧୦ ଦିନରେ ଶୀତ ଅଧିବେଶନ ଶେଷ ହୋଇଥିଲା। ଏହାକୁ ବିରୋଧ କରିଥିଲେ ଉଭୟ କଂଗ୍ରେସ ଓ ବିଜେପି। ବିଜେପି ବିଧାୟକମାନେ ଏନେଇ ଗାନ୍ଧୀପ୍ରତିମୂର୍ତ୍ତୀ ତଳେ ଧାରଣା ମଧ୍ୟ ଦେଇଥିଲେ

 

You might also like