ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି ହସ୍ପିଟାଲରେ ଅବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ୨୦୨୦ ମସିହାରେ ସେ ବିଧାୟକ ପାଣ୍ଠିରୁ ହସ୍ପିଟାଲ ଉନ୍ନତି ପାଇଁ ୧୭ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ତାହାର କୌଣସି ପ୍ରକାର ସୁଫଳ ଏଯାଏଁ ଦେଖାଯାଇନି।

ରୋଗୀମାନେ ଏହି ହସ୍ପିଟାଲରେ ଅତି ସାଧାରଣ ସେବା ମଧ୍ୟ ପାଇ ପାରୁନାହାନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଧାୟକ। କରୋନା ଭଳି ସ୍ଥିତିରେ ହସ୍ପିଟାଲରେ ଯଦି ରୋଗୀଙ୍କୁ ଆନୁସଙ୍ଗିକ ସୁବିଧା ମିଳିପାରିବ ନାହିଁ, ତେବେ ଏହା ଅତି ବିଡ଼ମ୍ବନାର ବିଷୟ। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ହେବ। ଏହାକୁ ଗୁରୁତ୍ୱର ସହ ନେବାକୁ ହେବ ବୋଲି କହିଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା।

ସେପଟେ ସୋମବାର କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ଖବର ସାମ୍ନାକୁ ଆସିଥିଲା। ଜଣେ ରୋଗୀଙ୍କ ପୁଅ ଅଭିଯୋଗ କରିଥିଲେ ଯେ, ତାଙ୍କ ବାପାଙ୍କୁ ସଠିକ୍ ସମୟରେ ଉଚିତ ଚିକିତ୍ସା ବା ଅକ୍ସିଜେନ ମିଳିପାରିନଥିଲା। ତେଣୁ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିପାଇଁ ହସ୍ପିଟାଲରେ ଭଙ୍ଗାରୁଜା ମଧ୍ୟ ହୋଇଥିଲା।

ତେବେ ସେହିଦିନ ହିଁ ଅମ୍ଳଜାନ ଅଭାବ ଅଭିଯୋଗକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଭୀମସେନ ସାହୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ରୋଗୀଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ଏବଂ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କର ମୃତ୍ୟୁ ହୋଇଥିଲା। କଣ୍ଟାବାଞ୍ଜି CHC ରେ ୧୬ଟି ଅମ୍ଳଜାନ ସିଲିଣ୍ଡର ଷ୍ଟକ୍ ରହିଥିବା କଥା ମଧ୍ୟ ଶ୍ରୀ ସାହୁ ସ୍ପଷ୍ଟ କରିଥିଲେ। ଖାଲି ସେତିକି ନୁହେଁ ଏହି ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଟିଟଲାଗଡ଼ ଉପ-ଜିଲ୍ଲାପାଳ ମଧ୍ୟ ଟ୍ୱିଟ କରିଥିଲେ। ସେଥିରେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୌଣସି ଅବହେଳା ହୋଇନଥିବା କଥା ସେ ଦର୍ଶାଇଥିଲେ।

You might also like