ବେକାବୁ ତୈଳଦର: ସାଇକେଲ ଚଲାଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ସାଇକେଲ ଚଲାଇ ପ୍ରତିବାଦ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ବିଧାୟକ ସାଇକେଲ୍ ଚଲାଉଥିବା ଦେଖିବାକୁ ମିଳିଛି।  ହୁ ହୁ ହୋଇ ବଢ଼ୁଥିବା ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ। ବିଧାୟକ ତାରାପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ, ସୁରେଶ ରାଉତରାୟ ପ୍ରମୁଖ ନେତା ସାଇକେଲ୍ ଚଲାଇ ବିଧାନସଭାକୁ ଆସିଛନ୍ତି। ତୈଳ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ। କେନ୍ଦ୍ର ଦର ବୃଦ୍ଧି କରୁଥିବା ବେଳେ ରାଜ୍ୟ ବି ଏହି ତୁଳନାରେ ଭ୍ୟାଟ୍ କମ୍ କରୁନାହାନ୍ତ। ଫଳରେ ଦର ଅହେତୁକ ଭାବେ ବଢ଼ିବାରେ ଲାଗିଥିବା ଅଭିଯୋଗ କରିଛି ଦଳ।

ତୈଳଦର ୨ ଦିନ ସ୍ଥିର ରହିବା ପରେ ଆଜି ପୁଣି ବଢିଛି। ତୈଳ କମ୍ପାନୀ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ୩୮ ପଇସା ବୃଦ୍ଧି କରିଛନ୍ତି। ଗୋଟିଏ ପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବି ଡିଜେଲ, ପେଟ୍ରୋଲ ଉପରେ ଟିକସ ହ୍ରାସ‌ କରୁ ନାହାନ୍ତି। ଦେଶର ସବୁ ସହରରେ ସହରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ଉପରେ ରହିଛି। ତେବେ ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି।

ଆଜି ମାଲକାନଗିରିରେ ପେଟ୍ରୋଲ ଲିଟର ଶହେ ପାର କରିଛି । ଆଜି ମାଲକାନଗିରିରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ଦର ରହିଛି ଶହେ ଟଙ୍କା ୩ ପଇସା , ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି।

ତୈଳଦର ବୃଦ୍ଧିକୁ ନେଇ ମୁହଁ ଖୋଲିଛନ୍ତି ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ, ଭାଟ୍ ଆଉ ଟ୍ୟାକ୍ସ ଦର ବଢାଇ ଲୋକମାନଙ୍କୁ ହଇରାଣ କରାଯାଉଛି। ସାଧାରଣ ଜନତାଙ୍କ ସମସ୍ୟା କେନ୍ଦ୍ର ଓ କିମ୍ବା ରାଜ୍ୟ ସରକାର କେହି ବୁଝୁନାହାନ୍ତି। ତେଲ ଦର ବଢିବା କାରଣରୁ କେବଳ ସାଧାରଣ ଜନତା ହିଁ ହଇରାଣ ହେଉଛନ୍ତି। ଏଠି ସରକାରଙ୍କୁ ବିଦାୟ ଦେବାକୁ ପଡିବ। କେବଳ ଲୋକଙ୍କ ପାଇଁ ଛତିଶଗଡ଼ ସରକାର ପେଟ୍ରୋଲ ଓ ଡ଼ିଜେଲର ଦର ହ୍ରାସ କରିଛନ୍ତି। ଓଡ଼ିଶା ସରକାର କାହିଁକି ତୈଳ ଦର କମାଇବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ତାରା? ଏତେ ପରିମାଣରେ ତେଲ ବଢୁଛି କିନ୍ତୁ କେନ୍ଦ୍ର କାହିଁକି କମାଇବେ ନାହିଁ ବୋଲି ପ୍ରଶ୍ନ ବି କରିଛନ୍ତି କଂଗ୍ରେସ ବିଧାୟକ। ତେବେ ଆଜି ବି ରାଜ୍ୟରେ ତେଲ ଦର ବଢିଥିବା ଦେଖିବାକୁ ମିଳିଛି।

’ତୈଳ ଦର ବୃଦ୍ଧି ସାମୟିକ, ଶୀଘ୍ର ସ୍ଥିତି ସୁଧୁରିବ’। ଦେଶରେ ହୁ ହୁ ହୋଇ ତେଲ ଦର ବଢ଼ୁଥିବା ବେଳେ ଏପରି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ। ତୈଳ ଦର ସାମୟିକ ସମୟ ପାଇଁ ବୃଦ୍ଧି ପାଇଛି ବୋଲି କହିଛନ୍ତି  ଧର୍ମେନ୍ଦ୍ର ପ୍ରଧାନ। ବିଶ୍ୱ ବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି। ଦେଶକୁ ତୈଳ ଯୋଗାଣ କରୁଥିବା ଦେଶ କଥା ଦେଇ କଥା ରଖିଲେନି, ଯଦ୍ୱାରା ଏପରି ସ୍ଥିତି ଉପୁଜିଛି। ତେବେ ଏଥିପାଇଁ ଏସିଆ ମହାଦେଶର ସମସ୍ତ ଦେଶ, ତୈଳ ଯୋଗାଣକାରୀ ଦେଶ ଗୁଡ଼ିକ ଉପରେ ଚାପ ସୃଷ୍ଟି କରୁଛନ୍ତି। ଶୀଘ୍ର ଉତ୍ପାଦନ ବଢ଼ାଇବା ପାଇଁ କୁହାଯାଉଛି।

You might also like