ନବୀନ ବାବୁଙ୍କ ସମୟରେ ଏମିତି ବିକାଶ ହୋଇଛି ଯେ, କହିଲେ ସରିବ ନାହିଁ: ତାରା

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୨୧ ବର୍ଷ ହେଲାଣି ଶାସନ ଦାୟିତ୍ୱରେ ଅଛନ୍ତି ବିଜେଡି ସରକାର। ଆଉ ଲଗାତାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ନିଜ ସ୍ୱଚ୍ଛ ଭାବମୂର୍ତ୍ତୀ ଲାଗି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ନବୀନ। କେବଳ ସ୍ୱଚ୍ଛ ଭାବମୂର୍ତ୍ତୀ ନୁହେଁ ନିଜର ମାଳ ମାଳ ଯୋଜନା ଲାଗି ସୁବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ତାଙ୍କ ଶାସନ କାଳରେ ରାଜ୍ୟର କେତେ ବିକାଶ ହୋଇଛି ତାହାକୁ ନେଇ ଏବେ ଚାଲିଛି ଜୋରସୋରରେ ଚର୍ଚ୍ଚା।

ତେବେ ଏହାକୁ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହୀନିପତି କହିଛନ୍ତି ଯେ, ୨୧ ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ବିକାଶ ହୋଇଛି। ତାହା ମଧ୍ୟରୁ ଗୋଟିଏ ହେଲା ପ୍ରତ୍ୟେକ ଦିନ ୬ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ଏକଥା ମୁଁ କହୁନାହିଁ ବରଂ କେନ୍ଦ୍ର ସରକାର କହୁଛନ୍ତି। ସାରା ଦେଶରେ ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାରେ ରାଜ୍ୟର ସ୍ଥାନ ଦ୍ୱିତୀୟ ରହିଛି ବୋଲି ତାରା କହିଛନ୍ତି। ବିଜୁଳି କୁ ନେଇ ୨୧ ବର୍ଷ ମଧ୍ୟରେ ରାଜ୍ୟ ସରକାର କିଛି କରିନାହାନ୍ତି। ଗୋଟିଏ ଜଳ ବିଦ୍ୟୁତ ପ୍ରକଳ୍ପର ନା ଗନ୍ଧ ନଥିବା ତାରା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଇଲାରୁ କେମିତି ବିଜୁଳି ବାହାରିବ ସେନେଇ ବି କୌଣସି କାମ ନାହିଁ। ଏହାସହ ଜଳସଂପଦରେ ବି କିଛି ଉନ୍ନତି ନାହିଁ।

ରାଜ୍ୟରେ ଯାହା ଉନ୍ନତି ହୋଇଥିଲା ତାହା କେବଳ କଂଗ୍ରେସ ସରକାର ସମୟରେ ହିଁ ହୋଇଥିଲା। ରାଜ୍ୟରେ ବେକାରୀ ସମସ୍ୟା ମଧ୍ୟ ପ୍ରବଳ ମାତ୍ରାରେ ବଢିଲାଣି ଏବଂ ଯେଉଁମାନେ ବିଦେଶ ଯାଉଛନ୍ତି ସେଠାରେ ରାଜ୍ୟ ସରକାର ବି ତାଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି। କରୋନା ମହାମାରୀ ସମୟରେ ବିଭିନ୍ନ ସ୍ଥାନରୁ ରାଜ୍ୟକୁ ୧୨ ଲକ୍ଷ ଲୋକ ଆସିଥିଲେ ବୋଲି ସରକାର କହିଥିଲେ କିନ୍ତୁ ବର୍ତ୍ତମାନ ସମୟରେ ରାଜ୍ୟରେ ୧୨ ଲକ୍ଷ ପ୍ରବାସୀ ସମସ୍ତେ ରାଜ୍ୟ ଛାଡି ପଳାଇ ଗଲେଣି। ସେମାନଙ୍କୁ ନେଇ ବି ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ହେଲେ ପ୍ରକୃତରେ ୧୨ ଲକ୍ଷ ନୁହେଁ ବରଂ ୨୦ ଲକ୍ଷ ଲୋକ ଆସିଥିଲେ ବୋଲି ତାରା କହିଛନ୍ତି। କାହାର କାହା ସାଙ୍ଗରେ କଥା ମେଳ ଖାଉନାହିଁ।

କରୋନା ସମୟରେ ଯେଉଁମାନେ ଆସିଥିଲେ ସେମାନେ ଖାଇବାକୁ ପାଇଲେ ନାହିଁ, ଯାହା ଫଳରେ କୋଭିଡ ସେଂଟରରେ ମାରପିଟ୍‌ର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ଏମିତିକି ନବୀନ ବାବୁଙ୍କ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମାରପିଟ୍‌ ଲାଗିଥିଲେ। ତେବେ ଆମେ କେମିତି କହିବା ବିକାଶ ହୋଇନାହିଁ ବୋଲି? ବର୍ତ୍ତମାନ ସମୟରେ ଧାନ ମଣ୍ଡିରୁ ଧାନ ଉଠିପାରୁନାହିଁ। ଏଠି ଚାଷୀ କାନ୍ଦୁଛି, ବିକାଶ ତ ଏମିତି ଭାବରେ ହୋଇଛି ବୋଲି କଟାକ୍ଷ କରି କହିଛନ୍ତି ତାରା।

You might also like