ନୂଆ ଆର୍ଡିସି ଡିଭିଜନ ଗଠନ ପାଇଁ କଂଗ୍ରେସର ଦାବି
ଭୁବନେଶ୍ୱର: ଆଜି ବିଧାନସଭାରେ ଜଳ ସଂପଦ ବିଭାଗର ଆଲୋଚନା ବେଳେ ଭୂପୃଷ୍ଠ ଜଳକୁ ନେଇ ମନ୍ତ୍ରୀ ଦେଇଥିବା ତଥ୍ୟ ଉପରେ ଆଲୋଚନା ହୋଇଛି। ରାଜ୍ୟରେ ୯୫,୫୪୦ ମିଲିୟନ ଘନମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ମିଲିୟନ ଘନ ମିଟର ଜଳ ସମୁଦ୍ରକୁ ବୋହିଯାଉଛି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି। ତେବେ ଭୂପୃଷ୍ଠ ଜଳ ରୋକିବାକୁ ୧୪,୫୮୮ ଆଡ଼ିବନ୍ଧ ନିର୍ମାଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ଭୂତଳ ଜଳ ପରିମାଣ କ୍ରମାଗତ ଭାବେ କମିବା ନେଇ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ।
ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୦୯ରେ ରାଜ୍ୟର ଭୂତଳ ଜଳ ଥିଲା ୧୬.୬୯ ବିଲିୟନ ଘନ ମିଟର। ୨୦୧୭ରେ ଏହା କମି ୧୫.୫୭ ବିଲିୟନ ଘନ ମିଟର ରହିଥିଲା। ଆଉ ୨୦୦୯ରୁ ୧୭ ମଧ୍ୟରେ ଭୂତଳ ଜଳ ପରିମାଣ ୧.୧୨ ବିଲିୟନ ଘନ ମିଟର କମିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସେହିପରି ନୂଆ ଆର୍ଡିସି ଡିଭିଜନ ଗଠନକୁ ନେଇ ବିଧାନସଭାର ପ୍ରଶ୍ନ କାଳରେ ସରଗରମ ଆଲୋଚନା ହୋଇଛି। ତିନିଟି ଆର୍ଡିସି ଡିଭିଜନ ବଦଳରେ ୬ଟି ଡିଭିଜନ ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ଏଥିସହିତ ମନ୍ତ୍ରୀ ଗୃହକୁ ଆଶ୍ୱସ୍ତ ନକରିବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି। ଜୟପୁରରେ ନୂତନ ଆର୍ଡିସି ଡିଭିଜନ କରିବାକୁ ଦାବି କରିଛନ୍ତି ତାରା। ତେବେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ନୂଆ ଆର୍ଡିସି ଡିଭିଜନ ନେଇ ଆଲୋଚନା କରାଯିବ।