କଟକ: କଟକ ପୁରୀଘାଟ ଥାନାରେ କଂଗ୍ରେସର ଭଙ୍ଗାରୁଜା ଅଭିଯୋଗ ଘଟଣାରେ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ଙ୍କୁ ପୁଲିସ୍ ଗିରଫ କରିଛି। ଏହି ଘଟଣାରେ ୩ଜଣଙ୍କ କର୍ପୋରେଟର୍ଙ୍କ ସମେତ ୧୩ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ମୋକିମ୍ ଗିରଫ ହେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି - ପୁଲିସ୍ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ମାମଲା ରୁଜୁ କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ନେତାଙ୍କ ଘରେ ପୁଲିସ୍ ରାତି ଅଧରେ ଚଢ଼ଉ କରିଥିଲା। ଏପରିକି ମହମ୍ମଦ ମୋକିମ୍ଙ୍କ ଘରେ ମଧ୍ୟ ଚଢ଼ଉ କରିଥିଲା।
ସୂଚନାଥାଉ କି, ଗତ ସୋମବାର ଦିନ ଭାରତବନ୍ଦ ବେଳେ CMC ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ପ୍ରୟାସ କରୁଥିବା ବେଳେ ପୁଲିସ୍ ଜଣେ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। ଯାହାର ପ୍ରତିବାଦରେ କଂଗ୍ରେସ କର୍ମୀ ମଙ୍ଗଳବାର ଦିନ ପୁରୀଘାଟ ଥାନାରେ ଭଙ୍ଗାରୁଜା କରିବା ସହ ରାସ୍ତାରୋକ ମଧ୍ୟ କରିଥିଲା।
ଏହି ଘଟଣାକୁ ନେଇ ପୁଲିସ୍ ମୋକିମ୍ ଓ ଅନ୍ୟ କଂଗ୍ରେସକର୍ମୀଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଥିଲା।