ମୋଦି-ନବୀନ ବାର୍ତ୍ତାଳାପକୁ ନେଇ ନିରଞ୍ଜନଙ୍କ ଶାଣିତ ଅାକ୍ରମଣ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଫୋନ୍-ଏ-ଫ୍ରେଣ୍ଡ  ଅାଉ ମହାନଦୀ ପାଇଁ  ଅଲ୍ ଲାଇନ୍‌ସ ଟୁ ଦିସ୍‌ ରୁଟ୍‌ ଅାର୍‌ ବିଜି। ନବୀନ ଓ ମୋଦିଙ୍କ ଫୋନ୍‌ରେ କଥା ବାର୍ତ୍ତାକୁ ଏମିତି ଢଙ୍ଗରେ ଟୁଇଟରରେ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ମୋଦି ନବୀନ ଓଡିଶା ପ୍ରସଙ୍ଗରେ କେବେ କଥା ହେବେ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।

ମହାନଦୀର ବ୍ୟାରେଜ ନିର୍ମାଣ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ନବୀନ କାହିଁକି ମୋଦିଙ୍କୁ କହୁ ନାହାଁନ୍ତି ବୋଲି ବି ପଚାରିଛନ୍ତି ପିସିସି ସଭାପତି। ବିଜେଡି ପାଇଁ ସମଦୂରତା କେବଳ ସମବୁଝାମଣା ହୋଇଥିବା କହି ଉଭୟ ବିଜେପି ଓ ବିଜେଡିକୁ ନିଶାନା କରିଛନ୍ତି ନିରଞ୍ଜନ। ଦଳର କାର୍ଯ୍ୟକାରୀ ସଭାପତି ପ୍ରଦିପ ମାଝୀ ମଧ୍ୟ ଟୁଇଟରେ ନବୀନ ଓ ମୋଦିଙ୍କୁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ଚିତ୍ରିତ କରିବା ସହ  ଦୁହେଁ ଭାଇ ଭାଇ ବୋଲି କହି ୨୦୦୦ ମସିହାର ସଂପର୍କର ପୁନରାବୃତ୍ତି ହେବ ବୋଲି କଟାକ୍ଷ କରିଛନ୍ତି।

ଏପଟେ ବିଜେଡିର ସମର୍ଥନ ଓ ନବୀନଙ୍କୁ ମୋଦିଙ୍କ କୃତଜ୍ଞତା ପରେ ରାଜ୍ୟ ବିଜେପି ନିଶ୍ଚିତ କ୍ଷତି ସହିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସକାଳୁ ସମର୍ଥନ ମାଗି ସନ୍ଧ୍ୟାରେ ବିଜେଡିକୁ ସମାଲୋଚନା କରିବା ଲୋକ ଗ୍ରହଣ କରିବେନି ବୋଲି ବିଜୟ କହିଛନ୍ତି।

ସେପଟେ ବିଜେପି କହିଛି, ସାମ୍ବିଧାନିକ ପଦ ପାଇଁ ନିର୍ବାଚନରେ ଏନଡିଏର ନେତା ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ, ତେଣୁ ବିଜେଡି କାହିଁକି ଭୋଟ ଦେଲା ସେ ନେଇ ଦଳ ସ୍ପଷ୍ଟ କରୁ।  ବିଜେଡି କହିଛି ସାମ୍ବିଧାନିକ ପଦକୁ  ନେଇ ରାଜନୀତି ହେବା ଉଚିତ ନୁହେଁ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସରିବା ପରେ ମଧ୍ୟ ବିଜ଼େଡି  ବିଜେପି ସଂପର୍କକୁ ନେଇ କଂଗ୍ରେସ ଉଠାଇଥିବା ଅଭିଯୋଗ ରାଜ୍ୟ ରାଜନୀତିକୁ ସରଗରମ କରିଛି।

You might also like