ଷଡ଼ଯନ୍ତ୍ର କରୁଛନ୍ତି ସରକାର!

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଖୋଲାଖୋଲି ଅଭିଯୋଗ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭାକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି।

‘ସାଧାରଣ ଜନସାଧାରଣଙ୍କ ମତ ଯାହା ବର୍ତ୍ତମାନ ଜଣାପଡ଼ୁଛି କି କଂଗ୍ରେସ ସପକ୍ଷରେ ଅଛି। ଏବଂ ତାକୁ ଡାଇଭର୍ଟ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ଅପକୌଶଳ ଆରମ୍ଭ ହୋଇଛି। ଉଦାହରଣ ସ୍ୱରୂପ ୨୫ ତାରିଖ ଦିନ ରାହୁଲ ଗାନ୍ଧି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେଇଦିନ ନବୀନ ବାବୁ ପୁରୀରେ ପଇସା ବାଣ୍ଟିବାକୁ କାର୍ଯ୍ୟକ୍ରମ ରଖିଛନ୍ତି। ସବୁ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ହୋଇଗଲାଣି ବସ୍‌ ସବୁ କଂଗ୍ରେସ ଯେମିତି ନେଇ ନପାରିବେ ଦେଖନ୍ତୁ। ସେ ବସ୍‌ ସବୁ ରିଜର୍ଭ କରିକି ପଠାଅ ପୁରୀକୁ। ଯେଉଁଠି ଆମ କର୍ମୀମାନେ ବୋଲେରୋରେ ଆସିବାକୁ ଚେଷ୍ଟା କରୁଛନ୍ତି, ଯଦି ୫୦୦ ଶହ ଟଙ୍କା ତା’ର ଦର, ତାକୁ ଏମାନେ ଯାଇ ୧୦୦୦ଟଙ୍କା ବଢ଼ାଇ ଆଣିବାକୁ ଚେଷ୍ଟା କରୁଛନ୍ତି’ ବୋଲି ନିରଞ୍ଜନ କହିଛନ୍ତି।

ସେପଟେ ଯିଏ ଦଳ ଛାଡ଼ିଲେ ମଧ୍ୟ କଂଗ୍ରେସ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ବିକଳ୍ପ ପାଇଁ ଦଳ ସବୁବେଳେ ପ୍ରସ୍ତୁତ ହୋଇ ରହିଛି।  ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ଓ ଯୋଗେଶ ସିଂହ କଂଗ୍ରେସରୁ ନିଲମ୍ବିତ ହେବା ପ୍ରସଙ୍ଗରେ ଦୃଢ଼ତାର ସହିତ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପ୍ରତିକ୍ରିୟା ଦେଇଛନ୍ତି।

‘ବର୍ତ୍ତମାନ ଯେଉଁ ସମୟ ଆସି ପହଞ୍ଚି ଗଲାଣି, ସେହି ସମୟରେ ନେତା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଦଳ ଗୁରୁତ୍ୱପୂର୍ଣ୍ଣ। ଏବଂ ଦଳର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ। କେଉଁ ନେତା ଗଲା ଆସିଲା ଏହା ବଡ଼ କଥା ନୁହେଁ। ବିକଳ୍ପ ମୋର ନାହିଁ ବୋଲି ଆପଣ କାହିଁକି ଚିନ୍ତା କରୁଛନ୍ତି’ ବୋଲି ନିରଞ୍ଜନ କହିଛନ୍ତି।

ସେପଟେ ଜି. ଉଦୟଗିରିର କଂଗ୍ରେସ ବିଧାୟକ ଯାକବ ପ୍ରଧାନ ଦଳ ଛାଡ଼ିବା ଚର୍ଚ୍ଚାକୁ ସେ ନିଜେ ଖଣ୍ଡନ କରିଛନ୍ତି।  ସେ ସ୍ପଷ୍ଟୀକରଣ ଦେଇଛନ୍ତି, ଏହି ଚର୍ଚ୍ଚା ସଂପୂର୍ଣ୍ଣ ମିଛ।

ସେହିପରି ଯୋଗେଶ ସିଂଙ୍କ ନିଲମ୍ବନକୁ ନେଇ ତଳସରା ବିଧାୟକ ପ୍ରଫୁଲ୍ଲ ମାଝୀ କହିଛନ୍ତି, ଯୋଗେଶ ଦଳ ଛାଡ଼ିଲେ ମଧ୍ୟ ଦଳରେ ଏହାର ପ୍ରଭାବ ପଡ଼ିବ ନାହିଁ

You might also like