‘ଓଟିଭି ଓ ବୈଜୟନ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଛ ଓ ମନଗଢ଼ା’

ଭୁବନେଶ୍ୱର: ଓଟିଭି ଏବଂ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କିଛି ସ୍ଥାନୀୟ ଚ୍ୟାନେଲରେ ପ୍ରସାରିତ ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଟିଭି କର୍ତ୍ତୃପକ୍ଷ। ଓଟିଭି ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ମିଛ ଏବଂ ମନଗଢ଼ା ବୋଲି ଓଟିଭି କର୍ତ୍ତୃପକ୍ଷ ଦର୍ଶାଇଛନ୍ତି।

ଓଟିଭି ନେଟ୍ଓ୍ୱାର୍କ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରି ଅପରେଟିଂ ଅଫିସର ଲିତିଶା ମଙ୍ଗତ୍ ସ୍ପଷ୍ଟ କରିଛନ୍ତି ଯେ ଓଟିଭି ଏବଂ ପଣ୍ଡା ପରିବାରର କଷ୍ଟଲବ୍ଧ ପ୍ରତିଷ୍ଠାକୁ ମଳିନ କରିବା ଉଦ୍ଦେଶ୍ୟରେ ହିଁ ଦିଲ୍ଲୀରେ ପ୍ରେସ୍‌ମିଟ୍ କରି ଏଭଳି ଅଭିଯୋଗ ଅଣାଯାଉଛି। ଯେଉଁ ଅଭିଯୋଗ ଆସିଛି, ହାଇକୋର୍ଟରେ ସେ ସଂକ୍ରାନ୍ତ ମାମଲା ଖାରଜ ହୋଇସାରିଛି। ଏପରିକି ତଦନ୍ତକାରୀ କର୍ତ୍ତୃପକ୍ଷ ଅଭିଯୋଗ ସଂକ୍ରାନ୍ତ ସମସ୍ତ ଦସ୍ତାବିଜ୍ କଂପାନୀ ପକ୍ଷରୁ ସାର୍ବଜନୀନ କରାଯାଇଥିବା ତାଙ୍କ ରିପୋର୍ଟରେ ଦର୍ଶାଇ ମଧ୍ୟ ସାରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଅଭିଯୋଗକୁ ସିଦ୍ଧ କଲା ଭଳି କୌଣସି ପ୍ରମାଣ ବି ନାହିଁ। ତେଣୁ ଏହା ଏକ ଧାରାକୁ ସୂଚାଉ ନାହିଁକି ? ଯେଉଁଥିରେ ବିଜେଡି ସରକାର ଗୋଟିକ ପରେ ଗୋଟିଏ ଅଭିଯୋଗ ଆଣୁଛନ୍ତି ଯାହାର କୌଣସି ଆଧାର ନାହିଁ କି ସତ୍ୟତା ନାହିଁ। ଆମେ ଏଇ ସବୁ ଅଭିଯୋଗକୁ ଖଣ୍ଡନ କରୁଛୁ ବୋଲି ଓଡିଶା ଟେଲିଭିଜନ୍ ନେଟ୍ଓ୍ୱାର୍କର ଅପରେଟିଂ ଅଫିସର କହିଛନ୍ତି।

ସେପଟେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗ, ପୁରୁଣା ଅଭିଯୋଗର ପୁନରାବୃତ୍ତି ପୂର୍ବରୁ ଏହି ସମସ୍ତ ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିସାରିଛନ୍ତି। ଆଜି ଦିଲ୍ଲୀର କିଛି ଆକ୍ଟିଭିଷ୍ଟ ପ୍ରେସମିଟ୍ କରି ଓଟିଭି ଓ ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହାକୁ ରାଜ୍ୟର କିଛି ଚ୍ୟାନେଲ୍ ପ୍ରସାରଣ କରିଥିଲେ।

You might also like