ରାଜ୍ୟରେ ଉଦ୍‌ବେଗଜନକ ଭାବେ କମୁଛି ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା

ଭୁବନେଶ୍ୱର : ପୁଣି ଅଲୋଡ଼ା ଶିଶୁକନ୍ୟା। ଲାଲ୍‌ କପଡ଼ାରେ ଗୁଡ଼ା ହୋଇଥିବା କଅଁଳା ଝିଅଟିକୁ ହତାଦର କରି ଦେଇଛି ଜନ୍ମଦାତ୍ରୀ। ରାସ୍ତା କଡ଼ରେ ଶୀତରେ କୁଆଁ କୁଆଁ କାନ୍ଦ ଶୁଣି ଉଦ୍ଧାର କରିଛନ୍ତି ଗାଁ ଲୋକେ।

କୋରାପୁଟ୍ ଜିଲ୍ଲା କେବିଡ଼ି ଗାଁ ପାଖ କଲଭର୍ଟ ତଳୁ ମିଳିଥିବା ଝିଅଟିକୁ ଜିଲ୍ଲା ଶିଶୁ ସୁରକ୍ଷା କମିଟି ନିଜ ଅଧିନକୁ ନେଇ ତା ବାପା ମାଆଙ୍କୁ ଖୋଜୁଛି। ହେଲେ ଏ ଘଟଣା ପୁଣି ପ୍ରମାଣତି କରିଛି ଶିଶୁକନ୍ୟାଙ୍କ ପ୍ରତି ଗଭୀର ବୈମାତୃକ ମନୋଭାବକୁ।

ରାଜ୍ୟରେ ଶିଶୁକନ୍ୟା ଅଲୋଡ଼ା ହେବା ନୂଆ ନୁହେଁ, ବୋଧହୁଏ ଇଏ ବି ଏକ ବଡ଼ କାରଣ ହୋଇପାରେ ପୁଅଙ୍କ ତୁଳନାରେ ଆଶାତୀତ ଭାବେ କମୁଥିବା ଝିଅଙ୍କ ସଂଖ୍ୟା। ଯାହାକୁ ନେଇ ବଢିଛି ଉଦ୍‌ବେଗ। ଜାତୀୟ ଗଣମାଧ୍ୟମ-ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ ତଥ୍ୟ ଅନୁସାରେ, ୨୦୦୭ ମସିହାରେ ଓଡ଼ିଶାରେ ପ୍ରତି ୧ ହଜାର ପୁଅଙ୍କ ତୁଳନାରେ ଥିଲେ ୯୧୯ ଝିଅ। ହେଲେ ୨୦୧୬ ମସିହା ବେଳକୁ ଏ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇ ୮୫୮ରେ ପହଞ୍ଚିଛି ଅର୍ଥାତ୍ ୯ବର୍ଷ ଭିତରେ ଝିଅଙ୍କ ସଂଖ୍ୟା ପ୍ରତି ୧୦୦୦ରେ କମିଛି ଆଉ ୬୧ ।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବି ସ୍ଥିତି ଉଦ୍‌ବେଗଜନକ। ୨୦୧୦ ମସିହାରେ ଏଠି ପ୍ରତି ହଜାରେ ପୁରୁଷଙ୍କ ତୁଳନାରେ ୯୦୨ ମହିଳା ଥିବାବେଳେ ୨୦୧୭ବେଳକୁ ପହଞ୍ଚିଥିଲା ୮୬୯ରେ।

ତେବେ ଏଠି ପ୍ରଶ୍ନ କାହିଁକି କ୍ରମାଗତ ଭାବେ କମି ଚାଲିଛି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ? କନ୍ୟା ଭୃଣହତ୍ୟା, ବେଆଇନ୍ ଲିଙ୍ଗ ନିରୂପଣ ରୋକିବାକୁ ପ୍ରଣୀତ ଆଇନ୍ ଠିକ୍‌ରେ ଅନୁପାଳନ ହେଉନି ନା ସଚେତନତାର ଅଭାବ ?

ରିପୋର୍ଟ ଅନୁସାରେ ଦକ୍ଷିଣ ଭାରତର ୩ ପ୍ରମୁଖ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ଓ ତାମିଲନାଡୁରେ ବି ସ୍ଥିତି ଅଧିକ ଚିନ୍ତାଜନକ। ୨୦୦୭ମସିହାରେ ଆନ୍ଧ୍ରରେ ପ୍ରତି ହଜାରେ ପୁଅରେ ୯୭୪ଜଣ ଝିଅ ଥିବାବେଳେ ୨୦୧୬ରେ ଏହି ସଂଖ୍ୟା ୮୦୬କୁ ଖସି ଆସିଛି।

ସେହିଭଳି କର୍ଣ୍ଣାଟକରେ ୨୦୧୬ମସିହା ବେଳକୁ ପ୍ରତି ୧ ହଜାର ପୁଅରେ ୮୯୬ ଓ ତାମିଲନାଡୁରେ ୮୪୦ଜଣ ଝିଅ ଅଛନ୍ତି।

You might also like