କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଶସ୍ତାରେ ଘରେ ଗ୍ରୋସରି ସାମଗ୍ରୀ ପହଞ୍ଚାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ। କରୋନା ମହାମାରୀ ସମୟରେ ଏଭଳି ମହା ଠକେଇର ଅଭିଯୋଗ ହୋଇଛି କୋରାପୁଟ ଜୟପୁରରେ। ଜଣେ କି ଦୁଇ ଜଣ ନୁହେଁ ଏକା ଥରେ ଶହ ଶହ ଲୋକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି କମ୍ପାନୀ।
ଜୟପୁରର ଅନ୍ନପୂର୍ଣ୍ଣା ଏଣ୍ଟରପ୍ରାଇଜେସ ବିରୋଧରେ ଆସିଛି ଏପରି ଅଭିଯୋଗ। କରୋନା କଟକଣା ସମୟରେ ଲୋକଙ୍କୁ ଶସ୍ତା ଦରରେ ଗ୍ରୋସେରି ସାମଗ୍ରୀ ଘରେ ପହଞ୍ଚାଇବା ଓ ଏହି ସଂସ୍ଥାରେ ଲୋକଙ୍କୁ ଚାକିରୀ ଦେବା ନାଁରେ ଏହି ଠକେଇ ହୋଇଛି।
କମ୍ପାନିରେ କାମ କରୁଥିବା କିଛି କର୍ମଚାରୀଙ୍କୁ ବି ଦରମା ନଦେଇ ରାତି ଅଧିଆ ଅଫିସ ବନ୍ଦ କରି କଂପାନୀ କତ୍ତୃପକ୍ଷ ଛୁ ମାରିଛନ୍ତି। ଠକେଇର ଶିକାର ହୋଇଥିବା ଲୋକେ ଏବେ ଜୟପୁର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଅନ୍ନପୂର୍ଣ୍ଣା ଏଣ୍ଟରପ୍ରାଇଜେସର କୌଣସି ପ୍ରତିକ୍ରିୟା ମିଳିପାରିନି।