ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି: ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି। କେହି ମାନୁ ବା ନମାନୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ଟ୍ୱିଟ୍ କରି ଏପରି କହିଛନ୍ତି ପିସିସି ସଭାପତି। ଏଥିସହିତ କରୋନାର ଗୋଷ୍ଠୀ ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ନିରଞ୍ଜନ ଟ୍ୱିଟ୍ କରିଛନ୍ତି।


ତା ସହିତ ସେ ଆହୁରି ମଧ୍ୟ କହଛନ୍ତି ଯେ ଟଙ୍କା ଦେଇ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ୨୦% ସିଟ୍ ରିଜର୍ଭ ରହୁ। ଦୈନିକ ୨୫ ହଜାରରୁ ଅଧିକ ସାମ୍ପଲ ଟେଷ୍ଟ କରାଯାଉ। ଯେଉଁଠି ସଂକ୍ରମଣ ହେଉଛି, ସେଠାରେ ୧ କିମି ବ୍ୟାସାର୍ଦ୍ଧରେ ସମସ୍ତଙ୍କ ଟେଷ୍ଟିଂ କରାଯାଉ ବୋଲି ନିରଞ୍ଜନ ଟ୍ୱିଟ୍ କରିଛନ୍ତି। ତା ସହିତ ସୁରକ୍ଷା କର୍ମୀଙ୍କୁ ସୁରକ୍ଷିତ ରଖିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା  କରାଯାଉ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଅନ୍ୟପଟେ ଆଜି ରାଜ୍ୟରୁ ଦିନକରେ ୧,୪୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୮୫  ରହିଛି। ଗଞ୍ଜାମରୁ ସର୍ବାଧିକ ୩୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଛି।

ସେହିପରି କରୋନାରେ ଆଜି ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

 

 

You might also like