ବଦଳିବ କମିଶନ୍‌ରେଟ୍‌ ପୁଲିସର ଅଭ୍ୟର୍ଥନା ଡେସ୍କ୍‌ର କାର୍ଯ୍ୟଧାରା

ଭୁବନେଶ୍ୱର: ବଦଳିବ କମିଶନରେଟ ପୁଲିସର ଅଭ୍ୟର୍ଥନା ଡେସ୍କର କାର୍ଯଧାରା। ଥାନାକୁ ଗଲେ ଅଭ୍ୟର୍ଥନା ପାଇଁ କଫି ମିଳୁକି ନମିଳୁ ଥାନାରେ ରିପୋର୍ଟ କିନ୍ତୁ ଶୀଘ୍ର ରଖାଯିବ। ନା ଭାୟା ମିଡିଆର ଅାବଶ୍ୟକତା, ନା ରିପୋର୍ଟ ରଖିବାପାଇଁ କୌଣସି ଉପରିସ୍ଥ ବ୍ୟକ୍ତିଙ୍କ ସୁପାରିଶ, କିଛି ବି ଅାବଶ୍ୟକ ନାହିଁ। ଏଣିକି ଥାନାକୁ ରିପୋର୍ଟ ଦେବାକୁ ଅାସୁଥିବା ବ୍ୟକ୍ତିଙ୍କୁ ଅାଉ ବାରମ୍ବାର ଥାନା ଦୁଅାରକୁ ଦଉଡିବାକୁ ପଡିବନି। କେବଳ ନାଁ ଓ ଠିକଣା ରଖି ଦାୟିତ୍ୱ ସାରିଦେଉଥିବା ଅଭ୍ୟର୍ଥନା ଡେସ୍କ ହେବ ପୁନର୍ଗଠିତ। ଧର୍ତ୍ତବ୍ୟ ଅପରାଧ ହେଉ ବା ଅନ୍ୟ କୌଣସି ଅପରାଧ ସବୁ ରିପୋର୍ଟ ଅଭ୍ୟର୍ଥନା ଡେସ୍କ ଦାୟିତ୍ୱରେ ଥିବା କନେଷ୍ଟବଳ ରଖିବାକୁ ବାଧ୍ୟ ହେବେ।

ଏନେଇ ପୁଲିସ କମିଶନଙ୍କ ପକ୍ଷରୁ ଏକ ବିଧିବଦ୍ଧ ସର୍କୁଲାର ସବୁ ଥାନାକୁ ଜାରି କରାଯାଇଛି। ଯାହାକୁ ଥାନା ଅଧିକାରୀମାନେ ଶୀଘ୍ର ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର। ଗାଡ଼ିଚୋରି,ମୋବାଇଲ ଫୋନ ଚୋରି, ଡକ୍ୟୁମେଣ୍ଟ ହଜିଯାଇଥିବା ଭଳି ମାମଲାର ରିପୋର୍ଟ ଦେବାକୁ ବାରମ୍ବାର ଲୋକେ ଥାନାକୁ ଦୌଡୁଥିଲେ। ଯାହା ଅଭ୍ୟର୍ଥନା ଡେସ୍କ ପୁନର୍ଗଠନ ପରେ ପ୍ରାୟ ବନ୍ଦ ହୋଇଯିବ ବୋଲି ପୁଲିସ କମିଶନର ଅାଶା ରଖିଛନ୍ତି। ରିପୋର୍ଟ ଦେବାକୁ ଅାସିବାମାତ୍ର ଅଭ୍ୟର୍ଥନା ଡେସ୍କ ରିପୋର୍ଟ ରଖିବା ସହ ଅଭିଯୋଗକାରୀଙ୍କୁ ଅଭିଯୋଗର ନମ୍ବର ଦେବେ। ଥାନାକୁ ନଅାସି ଫୋନ କରି ଏହି ନମ୍ବର ଦ୍ୱାରା ରିପୋର୍ଟର ସ୍ଥିତି ଜାଣିପାରିବେ ଅଭିଯୋଗକାରୀ।

ନଚେତ୍‌ ଏସ୍‌ଏମ୍ଏସ୍‌  ଜରିଅାରେ ବି ଥାନା ପକ୍ଷରୁ ରିପୋର୍ଟ ଉପରେ ଷ୍ଟାଟସ୍‌ ଜଣାଇଦିଅାଯିବ। ଅଭିଯୋଗ ଯଦି ଧର୍ତ୍ତବ୍ୟ ଅପରାଧ ଜନିତ ହୋଇଥାଏ ତେବେ ଥାନା ଅଧିକାରୀ ତଦନ୍ତ ପରେ ଷ୍ଟାଟସ ରିପୋର୍ଟ ଜଣାଇବେ ବୋଲି ବ୍ୟବସ୍ଥା କରାଯାଇଛି। କମିଶନରଙ୍କ ଏହି ସର୍କୁଲାର ପରେ ଏହା କେତେଶୀଘ୍ର କାର୍ଯ୍ୟକ୍ଷମ ହୋଉଛି ତାଉପରେ ସମସ୍ତଙ୍କ ନଜର।

You might also like