ସାଇବର ଲୁଟ କ୍ଷେତ୍ରରେ କମିଶନରେଟ ପୋଲିସକୁ ସଫଳତା; ଆକାଉଣ୍ଟକୁ ଫେରିଲା ୩ ଲକ୍ଷ ୧୭ ହଜାର

ଭୁବନେଶ୍ୱର; ସାଇବର ଲୁଟ କ୍ଷେତ୍ରରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଲୁଟେରାଙ୍କ କବଳରୁ ଲୁଟ୍‌ର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଫେରିଛି ୩ ଲକ୍ଷ ଟଙ୍କା। ମୋବାଇଲ ଟାଓ୍ୱାର ବସାଇବା ଆଳରେ ଅନୁଗୁଳର ଯୁବକ ବସନ୍ତ ଛତରଙ୍କଠାରୁ ୩୦ ଥରରେ ସମୁଦାୟ ୩ ଲକ୍ଷ ୧୭ ହଜାର ଟଙ୍କା ଲୁଟିଥିଲେ ଅନ୍‌ଲାଇନ୍ ଠକ। ଏନେଇ ବସନ୍ତ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କମିଶନରେଟ୍ ପୋଲିସ ଉଦ୍ୟମରେ ବସନ୍ତ ଛତର ୩ ଲକ୍ଷ ଟଙ୍କା ଫେରିପାଇଛନ୍ତି। ଅବଶିଷ୍ଟ ଟଙ୍କା ଫେରାଇ ଆଣିବାକୁ ପୋଲିସ ପ୍ରୟାସ ଜାରି ରଖିଛି।

ରାଜ୍ୟରେ ଏବେ ମାତିଛନ୍ତ ସାଇବର ଲୁଟେରା । ଲୋକଙ୍କୁ ବୋକା ବନାଇ ଆକଉଣ୍ଟରୁ ହରଣଚାଳ କରିନେଉନ୍ତି ଲକ୍ଷ ଲକ୍ଷ ଟଙ୍କା। ନିକଟରେ ସିଡିିଏ ସେକ୍ଟର-୭ର ଜଣେ ଡାକ୍ତରଙ୍କ ଠାରୁ ୭ ଦିନରେ ୭୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଠକ। ତାଙ୍କ ଠାରୁ ମୋଟ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଠକିନେଇଥିଲେ। ଏତେ ପରିମାଣର ସାଇବର  ଠକେଇ ଓଡିଶା ଇତିହାସରେ ବୋଧହୁଏ ପ୍ରଥମ ଘଟଣା।

ଗତ ୯ତାରିଖରେ ତାଙ୍କ ପାଖକୁ ଗୋଟିଏ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ମୋବାଇଲ ସିମ୍ ଆକ୍ଟିଭ କରିବା ବାହାନାରେ ବିଶ୍ୱାସ ଜନ୍ମାଇ ଆକାଉଣ୍ଟ ନମ୍ବର, ସିଭିଭି ନମ୍ବର ମାଗିଥିଲେ। ଏହି ନମ୍ବର ଗୁଡ଼ିକ ଦେବା ପରେ ମୋବାଇଲକୁ ଆସିଥିବା ଓଟିପି ନମ୍ବର ବି ମାଗିଥିଲା। ସବୁ ଡାଟା ନେଇଗଲା ପରେ ଡାକ୍ତରଙ୍କ ଆକାଉଣ୍ଟରେ କଳାକନା ବୁଲାଇ ଦେଇଥିଲା। ଏମିତିକି ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ବି ଟଙ୍କା ନେଇଯାଇଛନ୍ତି। ଫେବ୍ରୁଆରୀ ୯ରୁ ୧୫ ଭିତରେ ୭୭ ଲକ୍ଷ ୮୬ ହଜାର ଟଙ୍କା ନେଇଯାଇଛନ୍ତି। ଠକେଇ ନେଇ ସାଇବର ଥାନାରେ ସଂପୃକ୍ତ ଡାକ୍ତର ଏତଲା ଦେଇଛନ୍ତି। ଏନେଇ ତଦନ୍ତ ଜାରି ରହିଛି।

ସେହିପରି ଅନଲାଇନରେ ଓ୍ୱାସିଂମେସିନ୍ ବିକିବା ବେଳେ ଜଣେ ଅଧ୍ୟାପିକା ମଧ୍ୟ ଠକାମିର ଶିକାର ହୋଇଥିଲେ। ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶମା ମହାପାତ୍ର ଓଏଲ୍ଏକ୍ସରେ ନିଜ ଓ୍ୱାସିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଓ୍ୱାସିଂ ମେସିନ୍ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଥିଲେ। ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଲୁଟି ନେଇଥିବା ନେଇ ସେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ।

ଅନ୍‌ଲାଇନ୍‌ ଠକମାନେ ଏତେ ଚତୁରତାର ସହ ଠକୁଛନ୍ତି ଯେ କୋଭିଡ୍ ଟିକାକରଣ କରାଇ ଦେବା ନାଁରେ ମଧ୍ୟ ଫୋନ୍‌ କରି ଲୋକଙ୍କୁ ଆଧାର କାର୍ଡ, ଇମେଲ୍ ଆଇଡି ମାଗୁଛନ୍ତି। ପରେ ପରେ ଓଟିପି ମାଗି ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡପ୍ କରୁଛନ୍ତି। ଏସମ୍ପର୍କରେ ଖବର ଜଣାପଡ଼ିବା ପରେ ଜାନୁଆରୀ ୧୨ ତାରିଖରେ ଲୋକଙ୍କୁ ସତର୍କ କରାଇଥିଲା କମିଶନରେଟ ପୋଲିସ। ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି 744-000-6709 ଏହି ନମ୍ବର ଜଣାଇବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। 

ସେହିପରି KYC ଅପଡେଟ୍ ନାଁରେ ବି ଠକେଇ ହେଉଛି। ତେଣୁ KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ  ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। KYC ଅପଡେଟ୍ ନେଇ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ। ସେବା ପ୍ରଦାନକାରୀ ସଂସ୍ଥା କୌଣସି ନମ୍ବରକୁ ଫୋନ ପାଇଁ କୁହନ୍ତି ନାହିଁ ବୋଲି ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି ସତର୍କ କରାଯାଇଛି।।

ସାଧାରଣ ଲୋକତ ଦୂରର କଥା ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଝିଅ ବି ସାଇବର ଠକାମୀର ଶିକାର ହୋଇଥିଲେ। ଏକ ପୁରୁଣା ସୋଫାକୁ ଅନ୍‌ଲାଇନ୍‌ରେ ବିକ୍ରି କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଠାରୁ ୩୪ ହଜାର ଟଙ୍କା ଠକି ନେଇଥିଲେ ଠକ। ପରେ ସେମାନଙ୍କୁ ଗିରଫ କରାଯାଇଥିଲା।

 

You might also like