କେମିତି ଚିହ୍ନିବେ ନକଲି ପନିର ?

ଭୁବନେଶ୍ୱରର: କୋଲକାତାକୁ ଲମ୍ବିଛି ସିନ୍ଥେଟିକ୍ ପନିର କାରବାରର ଚେର। କଟକରୁ ଜବତ ବିଷାକ୍ତ ପନିରର ଖୋଳତାଡ଼ ବେଳେ ଏ ନେଇ ଏହି ଲିଙ୍କ୍ ପାଇଛି କମିଶନରେଟ୍ ପୋଲିସ୍। ଏହି ଘଟଣାରେ ଚାଉଳିଆଗଞ୍ଜ ପୋଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ନକଲି ପନିର୍ ବ୍ୟବସାୟର ଚେର ଉପାଡ଼ିବାକୁ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ କୋଲକାତା ବି ଯାଇଛି। ତା’ ସହିତ ଜଗତପୁର ଅଞ୍ଚଳରେ ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକର ଜମି ଲିଜ୍ ବାତିଲ୍ ପାଇଁ ଇଡ୍‌କୋକୁ ଚିଠି ଲେଖାଯାଇଥିବା ସୂଚନା ଦେଇଛନ୍ତି ଡିସିପି।

ପନିର ନାଁରେ ପଏଜନ୍। ଧଳା ଫରଫର ଦେଖାଯାଉ ଥିବା ଅପମିଶ୍ରିତ, ନକଲି ତଥା ବିଷାକ୍ତ ସିନ୍ଥେଟିକ୍ ପନିରର କୋଲକାତା ଲିଙ୍କ୍ ଘଟଣାରେ ଶୁକଦେବ ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ତେବେ ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି, ତାହାର ଲିଙ୍କ୍ ଖୋଜିବାକୁ କୋଲକାତା ଯାଇଛି କମିଶନରେଟ୍ ପୋଲିସର ଏକ ସ୍ପେଶାଲ ଟିମ୍।

ତେବେ ଏହି ସିନ୍ଥେଟିକ୍ ପନିର କାରବାରରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ଏନେଇ ସୂଚନା ଦେଇ ସେ କହିଛନ୍ତି “ଆମ ତରଫରୁ ସବୁ ପ୍ରକାର ଯାଞ୍ଚ ଆରମ୍ଭ ହୋଇଛି। କେଉଁ ସବୁ ସ୍ଥାନକୁ ଯାଉଥିଲା, କେଉଁ ଜିଲ୍ଲାକୁ ଯାଉଥିଲା ସେମାନଙ୍କୁ ବି ଖୋଜୁଛୁ। କେତେଜଣ ଫେରାର୍ ଅଛନ୍ତି। ଆମକୁ ସମସ୍ତଙ୍କର ସୂଚନା ମିଳିଯାଇଛି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏବେଯାଏ ୮ରୁ ୧୦ ଦୋକାନୀଙ୍କ ବିଷୟରେ ଜଣାପଡ଼ଛି। କିନ୍ତୁ ପୂରା ଲିଷ୍ଟ ଏବେ ଖୋଜା ଚାଲିଛି” ବୋଲି କହିଛନ୍ତି ଡିସିପି।

ଏହି ବିଷାକ୍ତ ବ୍ୟବସାୟର ଚେର ଉପାଡ଼ିବାକୁ କମିଶନରେଟ ପୋଲିସ୍ ପୂରା ଦମ୍‌ରେ ଲାଗିପଡ଼ିଛି।  ସେପଟେ ମାଲଗୋଦାମ ବ୍ୟବସାୟୀ ସଂଘ ମଧ୍ୟ ନକଲି ସାମଗ୍ରୀ ବେପାରୀଙ୍କୁ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମାଲଗୋଦାମ ବ୍ୟବସାୟୀ ସଂଘ ସଂପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି “ମାଲଗୋଦାମ ଅଞ୍ଚଳରେ କୌଣସି ଅସାଧୁ ବ୍ୟବସାୟୀ ଯଦି ଅପମିଶ୍ରଣ କରନ୍ତି ତାଙ୍କୁ ମାଲଗୋଦାମ ମନା। ତାଙ୍କୁ ବାଛନ୍ଦ କରାଯିବ ବୋଲି ଆମେ ଶପଥ ନେଇଛୁ ଓ ଏହି ବାର୍ତ୍ତା ମଧ୍ୟ ମାଲଗୋଦାମକୁ ଦେଇଛୁ।”

ତେବେ କେମିତି ଚିହ୍ନିବେ ନକଲି ପନିର ?

  • ବିଶେଷଜ୍ଞଙ୍କ ମତରେ ନକଲି ପନିର୍ ଦେଖିବାକୁ ସଂପୂର୍ଣ୍ଣ ଧଳା ହୋଇଥିବା ବେଳେ ଅସଲି ପନିର ଟିକିଏ ଫିକା ରହିଥାଏ।
  • ନକଲି ପନିର ହାତରେ ଧରିଲେ ଗୁଣ୍ଡ ହୋଇଯାଏ। ଅସଲିକୁ ହାତରେ ଚାପିଲେ ଭାଙ୍ଗେ ନାହିଁ।
  • ଅସଲି ପନିରରୁ ଖିର ବାସ୍ନା ଆସୁଥିବା ବେଳେ ନକଲିରୁ କୌଣସି ବାସ୍ନା ଆସେନାହିଁ।
  • ସେହିପରି ନକଲି ପନିର ଉପରେ ଆୟୋଡିନ୍ ଦ୍ରବଣ ପକାଇଲେ ଏହାର ରଙ୍ଗ ନୀଳ ପଡ଼ିଯାଏ। ତେବେ ଅସଲି ପନିରର ରଙ୍ଗ ବଦଳେ ନାହିଁ।

ନକଲି ପନିର ଖାଇଲେ କ’ଣ ହେବ ?

ସିନ୍ଥେଟିକ୍ ପନିର ଖାଇଲେ କିଡ଼୍‌ନୀ ରୋଗ ହେବାର ଅନେକ ଚାନ୍ସ ରହିଛି। କେବଳ ସେତିକି ନୁହେଁ ଗ୍ୟାସ୍ ଓ ଇଣ୍ଟେଷ୍ଟାଇନ୍‌ରେ ବ୍ଲକେଜ୍ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି। 

ତେବେ ନକଲି ସଂଖ୍ୟା ବଢୁଥିବାରୁ ଖାଉଟିଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ଏନେଇ ନମିତା ସାମନ୍ତରାୟ ନାମକ ଜଣେ ଖାଉଟି ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ସବୁକିଛି ଭେଜାଲ୍ ମିଳୁଛି। ବଜାର ଯାଇ ଆମେ କ’ଣ ଆଣିବୁ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଯାଉଛୁ। କେଉଁଟା ଅସଲି କେଉଁଟା ନକଲି ଜାଣିବା କଷ୍ଟକର ହେଉଛି ବୋଲି ନମିତା କହିଛନ୍ତି।

ତାରକସି କାମ ପାଇଁ ପ୍ରସିଦ୍ଧ କଟକ ଏବେ ନକଲି ସାମଗ୍ରୀ ପାଇଁ ବଦନାମ

କଟକରେ ଭେଜାଲ୍ ସାମଗ୍ରୀ ଲିଙ୍କ୍‌ରେ ଗତ ୨ ମାସରେ ୨୧ ସ୍ଥାନରେ ଚଢ଼ାଉ କଲାଣି ପୋଲିସ୍। ଏହି ମାମଲାରେ ୨୫ ଜଣ ଗିରଫ ବି ହେଲେଣି। ଜବତ ହୋଇଥିବା ୨୧ ପ୍ରକାର ଖାଦ୍ୟ ସାମଗ୍ରୀରୁ ୧୪ଟିରେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ କେମିକାଲ୍ ମିଳିଛି। ଏଯାଏ ସାଢ଼େ ୭ କୋଟି ଟଙ୍କାର ସାମଗ୍ରୀ ଜବତ ସହ ଅସାଧୁ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ପୋଲିସ୍।

ସେହିପରି ଜଗତପୁର ଅଞ୍ଚଳରେ ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବା କଂପାନିମାନଙ୍କ ଜମି ଲିଜ୍ ବାତିଲ୍ ପାଇଁ ଇଡ୍‌କୋକୁ ଚିଠି ଲେଖାଯାଇଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ।

You might also like