ସାଇବର ଠକେଇର ଶିକାର ହେଲେ ଏହି ନମ୍ବରକୁ କଲ୍‌ କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ସାଇବର ଠକେଇ ମାମଲା ଦିନକୁ ଦିନ ବଢ଼ିଥିବା ବେଳେ ଏଥିରେ ଲଗାମ ଲଗାଇବାକୁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ସାଇବର ଠକେଇ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ହେଲ୍‌ପ ଡେସ୍କ ଖୋଲାଯାଇଛି। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ରେ ଆରମ୍ଭ ହୋଇଛି ଏହି ହେଲ୍‌ପ ଡେସ୍କ। ତା ସହିତ ଏକ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି 744-000-6709 ଏହି ନମ୍ବର ଜଣାଇବାକୁ ପରାମର୍ଶ ଦିଆଯାଇଛି।

ତେବେ କେବଳ ଠକେଇ ହେଲା ପରେ ନୁହେଁ, ଯଦି କେହି ଅଜଣା ନମ୍ବରରୁ ମହିଳାଙ୍କୁ ଫୋନ୍ କରି ହଇରାଣ କରୁଛନ୍ତି, ତେବେ ମହିଳା ଏସମ୍ପର୍କରେ ମଧ୍ୟ ହେଲ୍‌ପ ଡେସ୍କକୁ ଜଣାଇ ପାରିବେ ବୋଲି କୁହାଯାଇଛି। ଠକେଇର ପ୍ରଥମ ୧ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ସମୟ ମଧ୍ୟରେ ହେଲ୍‌ପ ଡେସ୍କରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଷୁ ଷଡ଼ଙ୍ଗୀ। ବର୍ତ୍ତମାନ ଏହି ହେଲ୍‌ପ ଡେସ୍କରେ ଜଣେ ସବ୍ ଇନ୍ସପେକ୍ଟର ଏବଂ ୭ ଜଣ କନଷ୍ଟେବଲଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

ସାଇବର ଠକାମୀ ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ କହୁଛି, ଗତବର୍ଷ ଦେଶରେ କୋଲକତାରୁ ସର୍ବାଧିକ ୧୫ କୋଟି ଟଙ୍କା ସାଇବର୍ ଠକେଇ ହୋଇଥିବା ବେଳେ, ଓଡ଼ିଶାରେ ୬୨ ଲକ୍ଷରୁ ଅଧିକ ଟଙ୍କା ଗାଏବ ହୋଇଛି। ଏଭଳି ଅପରାଧ ରୋକିବାକୁ ମନ୍ତ୍ରାଳୟ ପକ୍ଷରୁ ସାଇବର୍ ସେଫ୍ ପୋର୍ଟାଲ୍ ତିଆରି କରାଯାଇ, ସେଥିରେ ଦେଶର ସବୁ ବ୍ୟାଙ୍କ୍, ଫୋନ୍ ସେବା ପ୍ରଦାନକାରୀ ସଂସ୍ଥା ଓ ସୁରକ୍ଷା ସଂସ୍ଥାକୁ ଯୋଡ଼ାଯାଇଛି। ଏହା ଦ୍ୱାରା ଏଯାବତ୍ ଠକେଇ ଲିଙ୍କରେ ୨୫ ହଜାର ମୋବାଇଲ୍ ନମ୍ବର ବ୍ୟାନ୍ କରାଗଲାଣି।

ନିଖୋଜ୍‌ ପିଲାଙ୍କୁ ଖୋଜିବ ପୋଲିସ୍ 

ଏପଟେ ନିଖୋଜ ପିଲାଙ୍କୁ ଖୋଜିବାକୁ ସ୍ୱତନ୍ତ୍ର ଅଭିଯାନ କରିବାକୁ ଯାଉଛି ଓଡ଼ିଶା ପୋଲିସ୍। ଏଥିପାଇଁ ଆସନ୍ତା ୧୮ରୁ ୨୫ ତାରିଖ ମଧ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏନେଇ  ଆଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ରେଞ୍ଜ ଆଇଜି ଓ ଡିଆଇଜିମାନଙ୍କ ସହ ଡିଜିପିଙ୍କ ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଥିଲା।

ସେହିପରି ଥାନାରେ ସିସିଟିଭିକୁ କାର୍ଯ୍ୟକ୍ଷମ କରିବା, ୪୦ ବର୍ଷରୁ ଅଧିକ ବୟସର ପୋଲିସ୍ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସିସିଟିଏନ୍ଏସ୍ ମାଧ୍ୟମରେ ମାସିକ ଅପରାଧ ସମୀକ୍ଷା, କର୍ମଚାରୀଙ୍କୁ ପୋଷାକ ସାମଗ୍ରୀ ପ୍ରଦାନ ପରିବର୍ତ୍ତେ ପୋଷାକ ଭତ୍ତା ପ୍ରଦାନ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। 

You might also like