ଭୁବନେଶ୍ୱର: ଅପରାଧୀମାନେ ଆସୁଛନ୍ତି। ହୋଟେଲ, ଲଜ, ଗେଷ୍ଟ ହାଉସ ଆଦିରେ ରହୁଛନ୍ତି। ଶେଷରେ ଅପରାଧ ଘଟାଇ  ଚମ୍ପଟ ମାରୁଛନ୍ତି। ଏମିତି ଘଟଣା ନିୟମିତ ଘଟୁଛି। ଏହାକୁ ନେଇ ଚିନ୍ତାରେ ପଡିଛି କମିଶନରେଟ ପୋଲିସ । ଏହାର ସମାଧାନ କରିବା ପାଇଁ ଏବେ ବାଟ ବାହାର କରୁଛି କମିଶନରେଟ ପୋଲିସ। ଏଥିପାଇଁ ଆସିଛି ଅତିଥି ଆପ୍‌।  ରାଜ୍ୟ ତଥା ରାଜ୍ୟ ବାହାରର ଅପରାଧୀଙ୍କୁ ଟ୍ରାକ୍ କରିବା ଲାଗି ଅନ୍‌ଲାଇନ ଜରିଆରେ ତଥ୍ୟ ସଂଗ୍ରହ କରିବ ଅତିଥି ଆପ୍। ଫଳରେ ହୋଟେଲ, ଲଜ, ଗେଷ୍ଟ ହାଉସ ଗୁଡିକରେ ଅପରାଧୀ ଆସି ରହିଲେ ସେମାନଙ୍କୁ ସହଜରେ ଟ୍ରାକିଂ କରିହେବ।

ଜାନୁୟାରୀରେ ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ମୃତ୍ୟୁ ପୂର୍ବରୁ ଗେଷ୍ଟ ହାଉସରେ ଥିଲେ ଝରାଫୁଲ ଓ ଅଭିଯୁକ୍ତ ରାକେଶ । ଝରାଫୁଲଙ୍କ ମୃତ୍ୟୁ ପରେ ଏକ ଗାଡିରେ ବସାଇ ଅଭିଯୁକ୍ତ ରାକେଶ ଓ ତାର ଜଣେ ସହଯୋଗୀ ଝରାଫୁଲକୁ ନେଇ ଯାଜପୁରରେ ଫିଙ୍ଗି ଦେଇଥିଲେ ।

କେବଳ ଏଇ ଗୋଟିଏ ଘଟଣା ନୁହେଁ, ଅନେକ ଘଟଣାରେ ଅପରାଧୀମାନେ ଲଜ୍‌, ହୋଟେଲରେ ନିରାପଦରେ ରହି ଅପରାଧ ଘଟାଉଛନ୍ତି ଆଉ ନିର୍ଭୟରେ ଚାଲି ଯାଉଛନ୍ତି।  ୧୧ ଅକ୍ଟୋବର ୨୦୨୦ରେ ପଟିଆ ପିଏନବି ଏଟିଏମ୍‌ରୁ ଆନ୍ତଃରାଜ୍ୟ ଲୁଟେରା ଲୁଟିନେଲେ ୨୭ ଲକ୍ଷ ଟଙ୍କା। ବିଭିନ୍ନ ସମୟରେ ଏଭଳି ଲୁଟ୍, ରାହାଜାନି, ମର୍ଡର ଘଟି ଚାଲିଥିଲେ ମଧ୍ୟ ଟେର ପାଉନି ପୋଲିସ।

ଅନ୍ୟପକ୍ଷେ ସୁରକ୍ଷା ପାଇଁ ଅପରାଧୀମାନେ ହୋଟେଲ, ଗେଷ୍ଟ ହାଉସ, ଲଜକୁ ବ୍ୟବହାର କରୁଛନ୍ତି । ଆଉ ଅପରାଧ ଘଟାଇ ଫେରାର ହୋଇଯାଉଛନ୍ତି`  କିନ୍ତୁ ସୁରାକ୍‌ ପାଉନି ପୋଲିସ। ତେଣୁ ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କମିଶନରେଟ ପୋଲିସ ଆଣିବାକୁ ଯାଉଛି ଏହି ଅତିଥି ଆପ୍ । ଏଣିକି ପୋଲିସ ଆଖିରୁ ଆଉ ଖସିପାରିବେନି ଅପରାଧୀ। ଯେଉଁଠି ବି ଥାଆନ୍ତୁ, ଧରିନେବ ଅତିଥି ଆପ୍‌।

ଏହା ଆପ୍‌ ଦ୍ୱାରା ହୋଟେଲ, ଗେଷ୍ଟହାଉସ, ଓୟୋରେ କିଏ ରହିଲା, ସେମାନଙ୍କ ଡେଲି ରିପୋର୍ଟ ଅନଲାଇନରେ ସହଜରେ ପାଇପାରିବ ପୋଲିସ।  ଏହି ଅତିଥି ଆପ୍ ଲଞ୍ଚ ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଅପରାଧିଙ୍କ ଉପରେ ନଜର ରଖାଯାଇପାରିବ । ହୋଟେଲରେ ରହୁଥିବା ଲୋକ କିଏ ଏବଂ ତାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ । ଏହା ଦ୍ୱାରା କୌଣସି ବ୍ୟକ୍ତିଙ୍କ ଗୋପନୀୟତା କ୍ଷୂର୍ଣ୍ଣ ହେବ ନାହିଁ ବୋଲି କୁହାଯାଇଛି।  ବାହାରୁ ଆସୁଥିବା ସମସ୍ତ ଅତିଥିଙ୍କ ତଥ୍ୟ ଜାଣିବା ପାଇଁ ଉଭୟ ପୋଲିସ ଓ ହୋଟେଲ କର୍ତ୍ତୃପକ୍ଷଙ୍କୁ ସହାୟକ ହୋଇପାରିବ

Other Stories