ଅଡିଓ ଭାଇରାଲ୍‌ ମାମଲା: ୨ ଗିରଫ, ଭାଇରାଲ୍‌ କରିଥିବା ମାନିଲେ ବିଶ୍ୱଜିତ୍‌

ଭୁବନେଶ୍ୱର: କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଥିବା ଅଡିଓ ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ- ବିଶ୍ୱଜିତ୍‌ ମହାନ୍ତି ଏବଂ ଲକ୍ଷ୍ମୀକାନ୍ତ ବେହେରା। ଉଭୟଙ୍କର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ପୋଲିସ୍‌ ତାଙ୍କୁ ଗିରଫ କରିଛି।

ଭାଇରାଲ୍ ଅଡିଓରେ ଏହି ଦୁଇ ଜଣ କଥାବାର୍ତ୍ତା କରିଥିଲେ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଲକ୍ଷ୍ଣୀକାନ୍ତ ବେହେରା ଅରଟେଲ୍ କମ୍ୟୁନିକେସନ୍‌ର କର୍ମଚାରୀ ଏବଂ ଅନ୍ୟ ଜଣେ ତାଙ୍କ ବନ୍ଧୁ। କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ସମ୍ପର୍କରେ ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା।

ଭାଇରାଲ୍ ହୋଇଥିବା ଅଡିଓ ସମ୍ପର୍କରେ ସ୍ୱୀକାର କରିଛନ୍ତି ଲକ୍ଷ୍କୀକାନ୍ତଙ୍କ ବନ୍ଧୁ ବିଶ୍ୱଜିତ୍‌। ସେ ନିଜେ ଭାଇରାଲ୍ କରିଥିବା କଥାକୁ ସ୍ୱୀକାର କରିଛନ୍ତି। ଗଣମାଧ୍ୟମ ‌ଆଗରେ ପ୍ରତିକ୍ରିୟା ରଖିବା ସହ ବିଶ୍ୱଜିତ୍‌ କହିଛନ୍ତି ଯେ, ମୋବାଇଲ୍‌ରେ ୨୦ରୁ ୨୫ ଜଣ ସାଙ୍ଗଙ୍କୁ ସେ ଏହି ଅଡିଓଟିକୁ ପଠାଇଥିଲେ।

ଗତକାଲି ଦୁଇ ଜଣଙ୍କୁ କମିଶନରେଟ୍ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଥିଲା ଏବଂ ୧୨ ଘଣ୍ଟା ଧରି ଜେରା କରାଯାଇଥିଲା ବୋଲି କୁହାଯାଇଛି। ଲକ୍ଷ୍ମୀକାନ୍ତ ବେହେରା କରୋନା ଆକ୍ରାନ୍ତ ଥିଲେ ଏବଂ ଗତ ଜୁଲାଇ ୧୭ ତାରିଖରୁ ଅଫିସ ଯାଇ ନ ଥିବା ଜଣାପଡ଼ିଛି। ତେବେ କୋଭିଡ ହସ୍ପିଟାଲରେ ଚିକିତ୍ସା ପରେ ସେ ତାଙ୍କ ସାଙ୍ଗ ବିଶ୍ୱଜିତ ମହାନ୍ତିଙ୍କ ସହ ଅନୁଭୂତିକୁ ଶେଆର୍‌ କରିଥିଲେ।

You might also like