କ୍ଷେତରେ ହସୁଛି ଗୋଲାପୀ ଓ ବାଇଗଣୀ ରଙ୍ଗର କୋବି

ରଙ୍ଗୀନ କୋବି ଚାଷ କରି ଚର୍ଚ୍ଚାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ

ନିଶ୍ଚିନ୍ତକୋଇଲି : କୋବି ଚାଷ କରି ଚର୍ଚ୍ଚାରେ ମହିଳା  ସ୍ୱୟଂ ସହାୟିକା ଗୋଷ୍ଠୀ । ତେବେ ଚର୍ଚ୍ଚା ଚାଷ ପାଇଁ ନୁହେଁ, ବରଂ ଭିନ୍ନ ଧରଣର କୋବି ଉତ୍ପାଦନ ପାଇଁ ସେମାନେ ଏବେ ଚର୍ଚ୍ଚିତ ଅଛନ୍ତି। ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କଟକ ନିଶ୍ଚିନ୍ତକୋଇଲି ବ୍ଲକ ସାଙ୍କିଲୋ ଗାଁର ମହିଳାମାନେ ଏବେ ରଙ୍ଗବେରଙ୍ଗୀ କୋବି ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ତେବେ ଭିନ୍ନ ରଙ୍ଗର କୋବି ଦେଖିବାକୁ ସବୁଦିନ ଲୋକଙ୍କ ଗହଳି ଲାଗୁଛି । ଯିଏ ଦେଖୁଛି ଘଡ଼ିଏ ଚାହିଁ ରହୁଛି । ଏବେ ଏଭଳି ରଙ୍ଗବେରଙ୍ଗର ଫୁଲ କୋବି ଦେଖିବାକୁ ଓ କିଣିବାକୁ ଗ୍ରାହକଙ୍କ ଭିଡ଼ ଲାଗିଛି ।

କ୍ଷେତରେ ହସି ଉଠୁଛି ଫୁଲ ଓ ବନ୍ଧା କୋବି, ଏହା ସାଧାରଣ କୋବିଠୁ ଟିକେ ଭିନ୍ନ । ଗୋଲାପି, ସବୁଜ, ଧଳା, ବାଇଗଣୀ ଏମିତି ରଙ୍ଗ ବେରଙ୍ଗ ଫୁଲ କୋବି ଓ ବନ୍ଧା କୋବି ଚାଷ ହେଉଛି । ଦେଖିବାକୁ ଖୁବ୍ ଆକର୍ଷଣୀୟ ଏହି କୋବି ଗୁଡିକ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସାଙ୍କିଲୋ ଗାଁରେ ଚାଷ କରାଯାଉଛି।  ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅନନ୍ୟା ମହିଳା ବିକାଶ ସମିତିର ସଦସ୍ୟାମାନେ ନିଜ ବାଡିରେ ଏହି ରଙ୍ଗୀନ୍ କୋବି ଚାଷ କରୁଛନ୍ତି । ଏହାଦ୍ୱାରା ନିଜେ ସ୍ୱାବଲମ୍ବୀ ହେବାସହିତ ଏଗୁଡିକୁ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏହି କୋବିର ଚାହିଦା ଢେର ଅଧିକ ।

କେବଳ କୋବି ନୁହେଁ ଅନ୍ୟାନ୍ୟ ପନିପରିବା ମଧ୍ୟ ଚାଷ କରାଯାଉଛି । ପୂର୍ବରୁ ଏହି ମହିଳା ମାନେ ଧଳା ଫୁଲ ଏବଂ ବନ୍ଧା କୋବି ଚାଷ କରୁଥିଲେ । ହେଲେ ରଙ୍ଗୀନ୍ କୋବିର ଚାହିଦାକୁ ଦେଖି ମଞ୍ଜି ଆଣି ଚାଷ କାର୍ଯ୍ୟ ଆରମ୍ଭ କଲେ । ଲୋକମାନେ ରଙ୍ଗୀନ କୋବି କିଣିବାକୁ ବେଶି ଆଗ୍ରହ ଦେଖାଉଥିବାରୁ, ଆଗକୁ ଅଧିକ କୋବି ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ସଦସ୍ୟା ।

You might also like