ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା, ଚାଷୀ ଉତ୍ତମ ସାହୁଙ୍କ ଭିନ୍ନ ପ୍ରୟାସ

ସ୍ଥାନୀୟ ଅଞ୍ଚଳରେ ଏହି କୋବିର ଚାହିଦା ଢେର ଅଧିକ

ବଣାଇ (ରଞ୍ଜିତ ଚୌଧୁରୀ)  : ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା । ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କିନ୍ତୁ ଧଳା ସବୁଜ ସହ ହଳଦିଆ ଓ ବାଇଗଣୀ ରଙ୍ଗର କୋବି ଚାଷ କରି ଚର୍ଚ୍ଚାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଉତ୍ତମ ସାହୁ । ଭିନ୍ନ ରଙ୍ଗର କୋବି ଦେଖିବାକୁ ସବୁଦିନ ତାଙ୍କ ବାଡ଼ିରେ ଲୋକଙ୍କ ଗହଳି ଲାଗୁଛି । ଯିଏ ଦେଖୁଛି ଘଡ଼ିଏ ଚାହିଁ ରହୁଛି । ଏବେ ଏଭଳି ରଙ୍ଗବେରଙ୍ଗର ଫୁଲ କୋବି ଦେଖିବାକୁ ଓ କିଣିବାକୁ ଗ୍ରାହକଙ୍କ ଭିଡ଼ ଲାଗିଛି ।

କ୍ଷେତରେ ଲାଗିଛି ହଳଦିଆ, ବାଇଗଣୀ ରଙ୍ଗର କୋବି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ତଳିତା ଗାଁର ଉତ୍ତମ ସାହୁ ଏଭଳି କୋବି ଚାଷ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ପେସାରେ ସେ ଜଣେ କୃଷି ବିଭାଗର କର୍ମଚାରୀ ହେଲେ ଇଣ୍ଟରନେଟ ଦେଖି ଏଭଳି କୋବି ଦେଖି ଚାଷ ପାଇଁ ମନ ବଳାଇଲେ । ମଞ୍ଜି ମଗାଇ ଚାରା ପ୍ରସ୍ତୁତ କଲେ ,ଆଉ ଶେଷରେ ନିଜ କ୍ଷେତରେ ଚାଷ କରିଛନ୍ତି  ଭଳିକି ଭଳି କୋବି ।  ଉତ୍ତମଙ୍କ ବାପା ଜଣେ ଚାଷୀ ହୋଇ ଥିବାରୁ ଏ ଦାୟିତ୍ୱ ତାଙ୍କ ବାପା ନେଇଛନ୍ତି ।  ସ୍ଥାନୀୟ ଅଞ୍ଚଳରେ ଏହି କୋବିର ଚାହିଦା ଢେର ଅଧିକ ।

ଧଳା କୋବି ଅପେକ୍ଷା ହଳଦିଆ, ବାଇଗଣି ରଙ୍ଗର କୋବିର ଚାହିଦା ରହିଛି ଏବଂ ଭଲ ବିକ୍ରି ହେଉଛି ବୋଲି ଉତ୍ତମ କହିଛନ୍ତି ।ବର୍ତ୍ତମାନ ବାଡ଼ିରେ ପାଖାପାଖି ୫ରୁ ୬ ହଜାର କୋବି ଗଛ ଲଗାଯାଇଛି । ସଫଳ ହେଲେ ଆହୁରି ଅଧିକ ମାତ୍ରାରେ କୋବି ଫଳାଇବେ ବୋଲି କହିଛନ୍ତି ଉତ୍ତମଙ୍କ ବାପା । ଏହି କୋବିର ସ୍ୱାଦ ମଧ୍ୟ ଭଲ ଥିବାବେଳେ ଗାଁର ଅନ୍ୟ ଲୋକମାନଙ୍କୁ ଏହି କୋବି ଚାଷ ଶିଖାଇବେ ।

ଏପଟେ ବଣାଇ ବ୍ଲକ କୃଷି ଅଧକାରୀ କହିଛନ୍ତି, ଆମ ବିଭାଗର ଜଣେ କର୍ମଚାରୀ ନେଟରୁ ଦେଖି ଏହି ଚାଷ କରିଛନ୍ତି ।ରଙ୍ଗବେରଙ୍ଗୀ କୋବିର ବେଶ୍ ଚାହିଦା ଥିବାବେଳେ ବ୍ୟବସାୟିକ ଭିତ୍ତିରେ ଚାଷକଲେ ତୁଳନାତ୍ମକ ଭାବେ  ଚାଷୀମାନେ ଲାଭବାନ୍ ହୋଇପାରନ୍ତେ । କେବଳ ଏତିକି ନୁହେଁ ଅନ୍ୟ କୋବି ଅପେକ୍ଷା ଏହା ଅଧିକ ରୋଜଗାର ମଧ୍ୟ ଦେଇପାରନ୍ତା । ଚାହିଦା ଦୃଷ୍ଟିରୁ  ଆଗାମୀ ସମୟରେ ଚାଷୀଙ୍କ ନିକଟରେ ଏହି  ରଙ୍ଗବେରଙ୍ଗୀ କୋବି ଚାଷ ଆଦୃତ ହେବ ବୋଲି ଆଶା କରାଯାଇଛି ।

 

You might also like