ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ
ଭୁବନେଶ୍ୱର: ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡିକରେ ଶେଷ ବର୍ଷ ପାଠପଢା ହେବ।
ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ହେବ। ସେହିପରି ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ଓୟୁଏଟି ଓ ସଂସ୍କୃତି ବିଶ୍ୱବିଦ୍ୟାଳୟ ବି ଆଜିଠାରୁ ଖୋଲିଛି। ଇଞ୍ଜିନିୟରିଂ ଓ ଡିପ୍ଲୋମା ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଫିଜିକାଲ୍ କ୍ଲାସ ହେବା ନେଇ ବୈଷୟିକ ଶିକ୍ଷା ବିଭାଗ ସୂଚନା ଦେଇଛି।
ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବାକି ଥିବା ସିଲାବସ୍ ସାରିବା ସହ ପରୀକ୍ଷା ପ୍ରସ୍ତୁତି କରାଯିବ। ଏନେଇ ରାଜ୍ୟର ସମସ୍ତ ସରକାରୀ ଇଞ୍ଜିନିୟରିଂ, ଡିପ୍ଲୋମା କଲେଜ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ବିଭାଗୀୟ ସଚିବ।
ଆଜିଠାରୁ ଆରମ୍ଭ ହୋଇଥିବା କ୍ଲାସ୍ ପାଇଁ ସ୍ୱତନ୍ତ୍ର ନିୟମ ସହ କୋଭିଡ୍ କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ଯେପରି ଅନ୍ୟ କଲେଜ୍, ବିଶ୍ୱବିଦ୍ୟାଳୟରେ ଗାଇଡଲାଇନ୍ ରହିଛି ସେ ସବୁ ବି ଏଠି ପାଳନ ହେବ। କରୋନା ମହାମାରୀ ବ୍ୟାପିବା ପରେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ କରାଯାଇଥିଲା।
ସୂଚନାଥାଉ କି,କୋଭିଡ୍ କଟକଣା ମଧ୍ୟରେ ଜାନୁଆରୀ ୮ରୁ ସ୍କୁଲ୍ ଖୋଲିଥିଲା। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍ ଖୋଲିଛି। ସ୍କୁଲ୍ ଖୋଲିବା ପୂର୍ବରୁ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସ୍କୁ ବିଶୋଧନ କରାଯାଇଥିଲା। ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ମଧ୍ୟ ହୋଇଛି। ପ୍ରତି କ୍ଲାସ୍ ରୁମ୍ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ। କ୍ଲାସ୍ ଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି। ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟ କ୍ରମେ କରାଯିବ। ଏପ୍ରିଲ୍ ୨୮ ଯାଏ ୧୦୦ ଦିନ ପାଠପଢ଼ା ହେବ।
ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ୍ ଓ୍ୱାଶ୍ ମହଜୁଦ ରଖାଯାଇ ଥିବାବେଳେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ସ୍କୁଲ୍ ଭିତରକୁ ପ୍ରବେଶ ଅନୁମତି ମିଳୁଥିବା ଦେଖିବାକୁ ମିଳିଛି। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ପ୍ରତି ସ୍କୁଲ୍ରେ କରାଯାଇଥିବା ଆଇସୋଲେସନ୍ ରୁମ୍ରେ ରଖି ନିକଟସ୍ଥ ମେଡିକାଲ ଟିମ୍କୁ ସୂଚନା ଦେବେ କର୍ତ୍ତୃପକ୍ଷ। ସେହିପରି ପ୍ରବେଶ ପରେ ଅଧାରୁ ସ୍କୁଲ୍ ବାହାରକୁ କେହି ଯାଇପାରିବେନି।