୧୧ ରୁ ଖୋଲିବ କଲେଜ ଓ ୟୁନିଭର୍ସିଟି
ଆସନ୍ତା ୧୧ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି
ଭୁବନେଶ୍ୱର: ଆସନ୍ତା ୧୧ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। କେବଳ ଏତିକି ନୁହେଁ ବରଂ ଆସନ୍ତା ୧୧ ତାରିଖରୁ କ୍ଲାସ କରିବା ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ଗତକାଲି ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି। ପାଠପଢ଼ା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।
ସେହିପରି UG/ PG ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। Ph.D., M.Phil., ରିସର୍ଚ୍ଚ ସ୍କଲାରଙ୍କ ପାଇଁ ବି ହଷ୍ଟେଲ ଖୋଲିବ। କୋଭିଡ ଗାଇଡଲାଇନ ଅନୁସାରେ ଜାନୁଆରୀ ୧୦ରୁ ହଷ୍ଟେଲ ଖୋଲିବା ନେଇ ନିର୍ଦ୍ଦେଶନାମା।
ମାର୍ଗଦର୍ଶିକା ଅନୁସାରେ, ଜାନୁଆରୀ ୮ ତାରିଖରୁ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ। ଏହି ଦିନ ମଧ୍ୟ କ୍ଲାସ୍ ଚାଲୁ ରହିବ। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ପାଠପଢ଼ା ହେବ। ସେହିପରି ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏ ପାଠପଢ଼ା ଚାଲୁ ରହିବ।
କେବେ ହେବ ମାଟ୍ରିକ ଓ ଦ୍ୱାଦଶ ପରୀକ୍ଷା:-
-ମେ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା
-ମେ ୩ରୁ ୧୫ ଯାଏ ଚାଲିବ ମାଟ୍ରିକ (ଦଶମ) ବୋର୍ଡ ପରୀକ୍ଷା
-ମେ ୧୫ ତାରିଖରୁ ଆରମ୍ଭ ହେବ +୨ (ଦ୍ୱାଦଶ) ପରୀକ୍ଷା
-ମେ ୧୫ରୁ ଆରମ୍ଭ ହୋଇ ଜୁନ୍ ୧୧ ଯାଏ ଚାଲିବ ଦ୍ୱାଦଶ ପରୀକ୍ଷା
-ଏପ୍ରିଲ ୨୯ରୁ ମେ ୧୪ ଯାଏ ହେବ ପ୍ରାକ୍ଟିକାଲ ପରୀକ୍ଷା
କଣ ରହିଛି ଗାଇଡ୍ଲାଇନ୍:-
- କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିପାରିବ
- କଣ୍ଟେନମେଣ୍ଟ ଜୋନ୍ର କୌଣସି ଶିକ୍ଷକ, ପିଲା ସ୍କୁଲ ଆସିବା ମନା
- କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ
- ସ୍କୁଲ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ
- ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି
- ଏବେ କୌଣସି ହଷ୍ଟେଲ ଖୋଲିପାରିବନି
- ସ୍କୁଲ ବସ୍ ବଦଳରେ ଅଭିଭାବକ ପିଲାଙ୍କୁ ଛାଡ଼ିବାକୁ ପରାମର୍ଶ
- କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ
- କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ ଆସିପାରିବେ
- କ୍ଲାସ୍ ରୁମ୍ରେ ସାମାଜିକ ଦୂରତା ପାଇଁ ଗୋଟିଏ ସିଟ୍ ଛାଡ଼ି ବସିବେ
- ପିଲାଙ୍କ ପାଇଁ ପରୀକ୍ଷା ଭଳି କ୍ଲାସ୍ରେ ନିର୍ଦ୍ଦିଷ୍ଟ ସିଟ୍ ବ୍ୟବସ୍ଥା ହେବ
ମେ ୪ରୁ ଜୁନ୍ ୧୦ ଭିତରେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବେ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଘୋଷଣା ପରେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସିବିଏସଇ ଛାତ୍ରଛାତ୍ରୀ। ଏଣେ ସିବିଏସଇର ପରୀକ୍ଷା ତାରିଖ ଧାର୍ଯ୍ୟ ପରେ କେବେ ହେବ ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା, ତାକୁ ନେଇ ସରକାର ବିଚାର ବିମର୍ଶ କରିଥିଲେ। ରାଜ୍ୟରେ ପ୍ରାୟ ୯ ହଜାରରୁ ଅଧିକ ହାଇସ୍କୁଲ୍ ଓ ପ୍ରାୟ ୧୨ ଶହ ଯୁକ୍ତ ଦୁଇ କଲେଜ ରହିଛି। ମାଟ୍ରିକରେ ପ୍ରତିବର୍ଷ ପାଖାପାଖି ୬ଲକ୍ଷ ପିଲା ପରୀକ୍ଷା ଦେଉଥିବାବେଳେ ଯୁକ୍ତ ଦୁଇରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ।