ନୂଆବର୍ଷରେ ଥରିବ ଓଡ଼ିଶା ! ଏଇ ଜିଲ୍ଲାକୁ ପାଣିପାଗ ବିଭାଗର ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ। ଅସହ୍ୟ ଜାଡ଼ରେ ଥରିବ ଓଡ଼ିଶା। ୩୦ରୁ ଜାନୁଆରୀ ୨ ଯାଏ ପ୍ରବଳ ଶୀତ ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ଶୀତ ଲହରି ନେଇ ସତର୍କ ସୂଚନା ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ। ସଂପୃକ୍ତ ୬ ଜିଲ୍ଲା ଲାଗି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗ ସୂଚନା ଆଧାରରେ SRCଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶନାମା ଜାରି କରିଛନ୍ତି SRC।

ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ନେଇଛି। ନିରାଶ୍ରୟଙ୍କ ରାତ୍ରିି ରହଣି ଲାଗି ବିଭିନ୍ନ ସ୍କୁଲକୁ ସାମୟିକ ଆଶ୍ରୟ ଗୃହ ଭାବେ ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଭୁବନେଶ୍ୱର ବ୍ଲକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି BMCର ଅତିରିକ୍ତ କମିଶନର। IRC ଭିଲେଜ୍ ସ୍ଥିତ ସରକାରୀ ନୋଡାଲ ସ୍କୁଲରେ ଆଶ୍ରୟ ଗୃହ ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୁଦ୍ଧେଶ୍ୱରୀ କଲୋନୀର ଷ୍ଟେସନ୍ ବଜାର ୟୁପି ସ୍କୁଲରେ ଆଶ୍ରୟ ଗୃହ ଲାଗି ଚିଠିରେ ଉଲ୍ଲେଖ କରାଯାଇଛି।

ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା। ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ଏବଂ ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ସୂଚନାଥାଉ କି, ଶନିବାର ରାଜ୍ୟରେ ୯ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ କରାଯାଇଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, କୋରାପୁଟରେ ୮.୨ ଡିଗ୍ରୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୮.୫ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ପ୍ରବଳ ଶୀତ ଯୋଗୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି। କିଏ ନିଆଁ ଜାଳି ଶୀତ ଦାଉରୁ ନିଜକୁ ରକ୍ଷା କରୁଛି ତ କିଏ ଶୀତ ଛଡ଼ାଇବା ପାଇଁ ଖେଳକୁଦରେ ବ୍ୟସ୍ତ ରହୁଛନ୍ତି।

କିଛି ସ୍ଥାନରେ କୁହୁଡ଼ି ଯୋଗୁ ମଧ୍ୟ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ତେବେ ରାଜ୍ୟରେ ଶୀତ ପ୍ରକୋପ ଗୋଟିଏପଟେ ବଢୁଥିବାରୁ ସକାଳୁ ସକାଳୁ ଚା’ ଦୋକାନରେ ପ୍ରବଳ ଭିଡ ଜମିବାରେ ଲାଗିଛି। ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ। ପ୍ରକୃତି ଏଠାରେ ନିଆରା।

ଅନ୍ୟପକ୍ଷେ, ଡିସେମ୍ବର ୨୯ରୁ ଦିଲ୍ଲୀ ସମେତ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବା ସହ ଆହୁରି ଅଧିକ ଶୀତ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭବ ହେବ। ଏହାଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି। ପ୍ରବଳ ଶୀତ ହେବାକୁ ଥିବାରୁ ମଦ ନ ପିଇବା ଓ ଘରେ ରହିବାକୁ ପରାମର୍ଶ ଦେଇଛି ଆଇଏମ୍‌ଡି। ମଦ ପିଇବା ଦ୍ୱାରା ଶରୀରର ତାପମାତ୍ରା ହ୍ରାସ ପାଇବ ବୋଲି ଆଶଙ୍କା କରି ଉତ୍ତର ଭାରତୀୟଙ୍କ ପାଇଁ ଆଇଏମଡି ଏଭଳି ସତର୍କତା ଜାରି କରିଛି। ଏହାଛଡ଼ା ଅତି ଆବଶ୍ୟକ ନ ହେଲେ ବାହାରକୁ ନ ଯିବାକୁ କୁହାଯାଇଛି।

ତା ସାଙ୍ଗକୁ ଭିଟାମିନ୍ ସି ଟାବଲେଟ୍ ଖାଇବା ଓ ନିଜ ଶରୀରର ଚର୍ମକୁ ମଶ୍ଚରାଇଜ କରିବାକୁ ଆଇଏମଡି କହିଛି। ଡିସେମ୍ବର ୨୯ରୁ ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନର ଉତ୍ତର ଭାଗରେ ଶୀତ ବଢ଼ିବ। ହିମାଳୟରୁ ପବନ ବହିବାକୁ ଥିବାରୁ ତାପମାତ୍ର ଖୁବ୍ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଏହିସବୁ ରାଜ୍ୟରେ ତାପମାତ୍ରା ୪.୫ ଡିଗ୍ରୀ ତଳକୁ ବି ଖସି ଆସିପାରେ ବୋଲି କୁହାଯାଇଛି ତେବେ ଆଜି ଭୋରରୁ ଦିଲ୍ଲୀର କେତେକ ସ୍ଥାନରେ ତାପମାତ୍ରା ୩.୪ ଡିଗ୍ରୀ ହୋଇଥିବା ରେକର୍ଡ କରାଯାଇଛି।

You might also like