ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି; ଦାରିଙ୍ଗବାଡିରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ। କୋରାପୁଟଠାରୁ କେନ୍ଦୁଝର ଚାରିଆଡ଼େ ତାପମାତ୍ରା ହ୍ରାସ ପାଇଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ପାରଦ ୧୦ ଡିଗ୍ରୀରୁ ତଳକୁ ଖସିଥିବା ବେଳେ ବାରିପଦାରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ତେବେ ଏଭଳି ପାଗ ଆଗକୁ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି।

କୋରାପୁଟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୋରାପୁଟରେ ପାରଦ ଖସିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ସେହିଭଳି କୋରାପୁଟ ଲମତାପୁଟ ବ୍ଲକ୍‌ ଅଞ୍ଚଳରେ ମଧ୍ୟ ଅତ୍ୟଧିକ ଶୀତ ଅନୁଭୂତ ହେଉଛିକ।  ଏଠାରେ ଡୁଡୁମା ଜଳପ୍ରପାତ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ବେଶ୍‌ ଜମୁଛି।

ସେହିପରି କେନ୍ଦୁଝରରେ ମଧ୍ୟ ଅତ୍ୟଧିକ ଶୀତର ପ୍ରଭାବ ଦେଖିବାକୁ ମିଳୁଛି। ଅପରାହ୍ନ ୪ଟା ପରଠୁ ଏଠାରେ ଶୀତର ପ୍ରଭାବ ଅନୁଭୂତ ଆରମ୍ଭ ହେଉଛି। ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସୁଥିବା ବେଳେ ସନ୍ଧ୍ୟା ହେଲେ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି।

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଗତ ୪ ଦିନ ମଧ୍ୟରେ ଜିଲ୍ଲାର ଅନେକ ଅଞ୍ଚଳରେ ପାରଦ ତଳକୁ ଖସିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି।

ଆଉ କନ୍ଧମାଳରେ ଶୀତର ଅନୁଭବ ଟିକିଏ ନିଆରା। ଦାରିଙ୍ଗବାଡିରେ ତାପମାତ୍ରା ୯ଡିଗ୍ରୀରୁ ତଳକୁ ଖସିଛି।  ଦିନ ତମାମ ଏଠାରେ ଶୀତ ଅନୁଭୂତ ହେଉଥିବା ଜଣାପଡ଼ିଛି। ଶୀତ ଦାଉରୁ ମୁକ୍ତି ପାଇବାକୁ ଲୋକଙ୍କୁ କାଠ ଜାଳି ନିଆଁ ପାଖରେ ବସିବାକୁ ପଡ଼ୁଛି। ତେବେ ଶୀତ ଅଧିକ ଅନୁଭୂତ ହେଉଥିଲେ ମଧ୍ୟ କନ୍ଧମାଳବାସୀ ଏହାକୁ ବେଶ୍‌ ଉପଭୋଗ କରୁଛନ୍ତି।

You might also like