ବଜାରରେ ବିକ୍ରି ହେଲା ନାହିଁ, ମାଗଣାରେ ଲୋକଙ୍କୁ ପରିବା ବାଣ୍ଟିଦେଲା ଚାଷୀ

ଶୀତଳ ଭଣ୍ଡାର ନ ଥିବାରୁ ଅଭାବୀ ବିକ୍ରି

  • ଟମାଟୋ କିଲୋ ୨ ଟଙ୍କା !
  • ଲାଭ କଥା ଛାଡ଼ନ୍ତୁ, ପରିବହନ ଖର୍ଚ୍ଚ ବି ଉଠୁନି
  • ଲୋକଙ୍କୁ ମାଗଣାରେ ଟମାଟୋ ବାଣ୍ଟିଲେ ଚାଷୀ
  • ଶୀତଳ ଭଣ୍ଡାର ନ ଥିବାରୁ ଅଭାବୀ ବିକ୍ରି

ଭୁବନେଶ୍ୱର: ଗୋଟିଏ ପଟେ ମଣ୍ଡି ଅବ୍ୟବସ୍ଥା ପାଇଁ ବିଧାନସଭା ଅଚଳ, ଅନ୍ୟପଟେ ଦୁର୍ବଳ ବଜାର ବ୍ୟବସ୍ଥା ସାଙ୍ଗକୁ ଶୀତଳ ଭଣ୍ଡାର ନାହିଁ। ଫଳରେ ଚାଷୀ ନାକେଦମ୍  ହେଉଛନ୍ତି। ପରିଣାମ ସ୍ୱରୂପ ଅଭାବୀ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛି। ଖାସ୍ କରି ଲକଡାଉନ ବେଳେ ରୋଜଗାର ହରାଇବା ପରେ ବହୁ ଲୋକ ପରିବା ଚାଷକୁ ଆପଣାଇ ନେଲେ। ପର୍ଯ୍ୟାପ୍ତ ପରିବା ବି ଅମଳ କଲେ। ହେଲେ ଶସ୍ତାରେ ହୀନସ୍ତା ହୋଇ କେଉଁଠି ଚାଷୀ ବାଣ୍ଟିଲାଣି ମାଗଣା ଟମାଟୋ ତ କାହା କ୍ଷେତରେ ସଢ଼ିବାକୁ ବସିଲାଣି କୋବି, ବାଇଗଣ।

କ୍ଷେତରେ ଲହୁ ବୁହାଇ ଫସଲ ଫଳାଇଥିବା ଚାଷୀ ଆଖିରେ ଲୁହ ଝରୁଛି। ହାଟକୁ ଆସିଲା ବେଳକୁ ମେହନତର ମୂଲ୍ୟ ଯଦି ନମିଳିବ, ତାହେଲେ ଚାଷୀ ବା କରିବ କଣ ? ଶେଷରେ କ୍ଷୋଭର ସହ ମାଗଣାରେ ଚାଷୀ ବାଣ୍ଟିଦେଲା ଅମଳ ଫସଲ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାରେ।  ଯେଉଁଠି ୧୦ ଟଙ୍କା ତ ଦୂରର କଥା, ୨ ଟଙ୍କାରେ ବି ବିକ୍ରି ହେଉନି ଟମାଟୋ। ଦିନେ ୪୦ରୁ ୫୦ ଟଙ୍କାରେ ଟମାଟୋ ବିକ୍ରି କରୁଥିବା ଚାଷୀ ଏବେ ଅଭାବୀ ବିକ୍ରିର ଶୀକାର ହୋଇଛନ୍ତି। ଲକଡାଉନ ବେଳେ ରୋଜଗାର ହରାଇ ବହୁ ଲୋକ ପର୍ଯ୍ୟାପ୍ତ ପରିମାଣର ଚାଷବାସ କଲେ। ସୁନ୍ଦରଗଡ଼ ଜିଲ୍ଲାରେ ପରିବା ପାଇଁ ପ୍ରସିଦ୍ଧ ନୂଆଁଗାଁରେ ଏକର ଏକର କ୍ଷେତରେ ପରିବା ଫଳାଇଲେ ବହୁ ଲୋକ। ଏବେ କିନ୍ତୁ ବିକ୍ରି ହେଲା ବେଳକୁ ୩୦ କିଲୋ ଟମାଟୋକୁ ଟ୍ରେ ପିଛା ବିକ୍ରି ହେଉଛି ପ୍ରାୟ ୩୦ ଟଙ୍କାରେ। ଅର୍ଥାତ କିଲୋକୁ ପ୍ରାୟ ଟଙ୍କାଟିଏ ପଡ଼ୁଛି। ଏଭଳି ସ୍ଥିତିରେ ଶୀତଳ ଭଣ୍ଡାର ନଥିବାରୁ ପଚିସଢ଼ି ନଷ୍ଟ ହେବା ଅପେକ୍ଷା, ଲୋକଙ୍କୁ ଚାଷୀ ଓ ବ୍ୟବସାୟୀ ଏଭଳି ବାଣ୍ଟି ଚାଲିଛି କ୍ଷୁବ୍ଧ ମନରେ।

ରାଉରକେଲା କଥା ଛାଡ଼ନ୍ତୁ। ପରିବା ଝୁଡି ଭାବେ ପରିଚିତ ଆଠଗଡ ଏବଂ ବାଙ୍କି ଅଞ୍ଚଳରେ ବି ଚାଷୀ ଭୋଗୁଛି ସମାନ ଦଶା। ଏଠି ବି ଟମାଟୋ କିଲୋ ୨ଟଙ୍କା ଥିବାରୁ ମୁଣ୍ଡରେ ହାତ ଦେଇଛି ଚାଷୀ।  ଖାଲି ଟମାଟୋ ନୁହେଁ, ପତ୍ରକୋବି, ଫୁଲକୋବି, ବାଇଗଣ, କଖାରୁ ଆଦି ପରିବା ପ୍ରଚୁର ପରିମାଣରେ ଉତ୍ପାଦନ ହେଉଛି ସିନା, ମିଳୁନି ଉଚିତ ଦାମ୍। ୫ କେଜି ଟମାଟୋ ବିକ୍ରି ହେଉଛି ୧୦ ଟଙ୍କାରେ। କୋବିର ବଜାର ରେଟ୍ ଯାହା, ଚାଷୀର ମଜୁରୀ ତ ଦୂରର କଥା ମୂଳ ଖର୍ଚ୍ଚ ବି ଉଠୁନାହିଁ। ତାର କାରଣ ବି ସ୍ପଷ୍ଟ ହେଉଛି। ଆଠଗଡର ଶୀତଳଭଣ୍ଡାର ପାଲଟିଛି ଭୂତକୋଠି। ଯେଉଁଠି ଦିନେ ହଜାର ହଜାର କ୍ୱିଣ୍ଟାଲ ପରିବା ସଂରକ୍ଷିତ ହୋଇ ରହୁଥିଲା ତାହା ଆଜି ଅକାମୀ ହୋଇ ପଡ଼ିଛି। କେବଳ ଆଠଗଡ଼ ନୁହେଁ, ରାଜ୍ୟବ୍ୟାପି ପର୍ଯ୍ୟାପ୍ତ ପରିମାଣର ଶୀତଳଭଣ୍ଡାର ନାହିଁ। ଯାହା ବି ଅଛି ଏଭଳି ଅବସ୍ଥାରେ ରହିଛି ଯେ ତାହା ଉପଯୋଗୀ ହୋଇପାରୁନାହିଁ ଫଳରେ ଚାଷୀ ଅଭାବୀ ବିକ୍ରିର ଶୀକାର ହେଉଛି।

ରାଜ୍ୟରେ ଏବେ ଆବଶ୍ୟକତାର ମାତ୍ର ୧.୯ ପ୍ରତିଶତ ଶୀତଳ ଭଣ୍ଡାର ରହିଛି। ଯଥେଷ୍ଟ ପନିପରିବା ଉତ୍ପାଦନ ସତ୍ତ୍ୱେ ସଂରକ୍ଷଣ ହୋଇପାରୁନି। ତେଣୁ ବର୍ଷର ଅନେକ ଦିନ ବାହାର ରାଜ୍ୟରୁ ପରିବା ଆସିଲେ ଯାଇ ଆମ ରାଜ୍ୟର ଚାହିଦା ମେଣ୍ଟିପାରୁଛି।

ରାଉରକେଲାରୁ ପୱନ ତିୱାରୀ, ବାଙ୍କିରୁ ସଞ୍ଜୀପ ନାୟକ ଏବଂ ଆଠଗଡ଼ରୁ ନୀଳକଣ୍ଠ ଦୋରାଙ୍କ ରିପୋର୍ଟ

You might also like