କୋଲ୍ଡ ଷ୍ଟୋରେଜ ନାହିଁ, ଅଭାବୀ ବିକ୍ରିର ଶିକାର ଚାଷୀ

ଚାଷୀଙ୍କୁ ଦୁଃଖ ଶୁଣୁଛି କିଏ?

ସୁନ୍ଦରଗଡ: କ୍ଷେତରେ ହସୁଛି ସବୁଜ ପନିପରିବା ବାଇଗଣ, ବିଲାତି, କୋବି, ବିନ୍ସ। ଭଳି କି ଭଳି ପରିବା ମୁଣ୍ଡ ଝାଳ ତୁଣ୍ଡେ ମାରି ତଟକା ପରିବା ଉପୁଜାଇଛି ଚାଷୀ। ସୁନ୍ଦରଗଡ଼ ନୂଆ ଗାଁ ଅଞ୍ଚଳର ଶୀତ ଋତୁରେ ଭଲ ଦୁଇପଇସା ରୋଜଗାର ଆଶାରେ ଚାଷୀ ଲାଗିପଡ଼ିଛନ୍ତି କାମରେ। ମାତ୍ର ଏସବୁ ପରିଶ୍ରମର ପାଉନାହାନ୍ତି ଉଚିତ ମୂଲ୍ୟ। ଭଲ ଫସଲ ହୋଇଥିଲେ ବି ସ୍ଥାନୀୟ ଅଞ୍ଚଳରେ କୋଲ୍ଡ ଷ୍ଟୋରେଜ୍ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ଅଭାବି ବିକ୍ରୀର ଶିକାର ହେଉଛନ୍ତି ଚାଷୀ।

ନୂଆଁ ଗାଁ ବ୍ଲକରେ ରହିଛି ଦୁଇ ଦୁଇଟି କୋଲ୍ଡ ଷ୍ଟୋରେଜ୍। ମାତ୍ର ୬ ବର୍ଷ ହେବ ତାହା ଅଚଳ ଅବସ୍ଥାରେ ରହିଛି। କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ହୋଇଥିବା କୋଲ୍ଡ ଷ୍ଟୋରେଜ୍ ରକ୍ଷଣାବେକ୍ଷଣ ଅଭାବରୁ ଆଜି ଖତ ଖାଉଛି। ସେହିପରି ପାଣି ସମସ୍ୟା ବି ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ଇ-ନାମ୍ ମାର୍କେଟ୍ ୟାର୍ଡ ବ୍ୟବସ୍ଥା। ତେତେରକେଲା ପଞ୍ଚାୟତରେ ୬ ମାସ ହେବ ଯୋଜନାର ଶୁଭାରମ୍ଭ ହେଲାଣି ମାତ୍ର ଏଯାଏଁ ଆରମ୍ଭ ହୋଇପାରିନି କାମ। ଅନ୍ୟପଟେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ସାରିଲାଣି, ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି। ସେହିପରି ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଜଳସେଚନ ବ୍ୟବସ୍ଥା ସହ ମାର୍କେଟ୍ ୟାର୍ଡ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ପାନପୋଷ ଉପଜିଲ୍ଲାପାଳ କହିଛନ୍ତି।

You might also like