କଟକ ମହାନଗର ନିଗମରେ ଚାଇନିଜ୍ ମାଞ୍ଜା ବ୍ୟାନ୍‌

କଟକ: ରାତି ପାହିଲେ ପବିତ୍ର ମକର ସଂକ୍ରାନ୍ତି। ତେବେ ଏହା ପୂର୍ବରୁ କଟକ ମହାନଗର ନିଗମ(CMC)ରେ ଚାଇନିଜ୍ ମାଞ୍ଜାକୁ ବ୍ୟାନ୍ କରାଯାଇଛି। ଗୁଡ଼ି ଉଡ଼ାରେ ଚାଇନିଜ୍ ମାଞ୍ଜା ବ୍ୟବହାର କରିପାରିବେ ନାହିଁ ଲୋକେ।

ଏତଦ୍‌ବ୍ୟତୀତ କାଚ ଲଗାଇ ପ୍ରସ୍ତୁତ ଅନ୍ୟ ସମସ୍ତ ପ୍ରକାର ସୂତାକୁ ମଧ୍ୟ ବ୍ୟାନ୍ କରିଛି CMC। ଗୁଡ଼ି ସୂତାରେ ଜୀବନହାନି ଆଶଙ୍କା ଥିବାରୁ ମାଞ୍ଜା ଓ କାଚ ଲଗା ସୂତା ବ୍ୟାନ୍ କରାଯାଇଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହାସହ ବ୍ୟାନ୍ ଆଇଟମ ବିକ୍ରିକୁ ରୋକିବା ପାଇଁ ୩ଟି ଟିମ୍ ମଧ୍ୟ ଗଠନ କରାଯାଇଛି। କୃଷି ଭିତ୍ତିକ ପର୍ବ ମକର ସଂକ୍ରାନ୍ତିକୁ ନେଇ ଚାରିଆଡ଼େ ଉତ୍ସବ ମୁଖର ଦେଖିବାକୁ ମିଳିଥାଏ। ସେଇ ଦିନରେ ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠାପଣା ପ୍ରସ୍ତୁତ କରାଯାଇଥାଏ।

ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥାଏ।

ବିଶେଷ କରି ତେଲୁଗୁ ଭାଷଭାଷୀ ଲୋକେ ମକର ସଂକ୍ରାନ୍ତିକୁ ଧୁମ୍‌ଧାମ୍‌ରେ ପାଳନ କରନ୍ତି। ୪ ଦିନ ଧରି ସେମାନେ ଏହି ପର୍ବ ପାଳନ କରନ୍ତି। ମକର ସଂକ୍ରାନ୍ତି ପୂର୍ବ ରାତିରେ ସମସ୍ତେ ଏକତ୍ରିତ ହୋଇ କାଠରେ ନିଆଁ ଲଗାଇ ପୂଜା କରିଥାନ୍ତି। ସେହି ସମୟରୁ ଏହି ମକର ପର୍ବ ପାଳନ ଆରମ୍ଭ କରିଥାନ୍ତି, ତା ପରେ ନୂଆ ଡ୍ରେସ୍‌, ପିଠା ପଣା କରି ପୂଜା କରନ୍ତି।

ଗଜପତି ଜିଲ୍ଲା ପାରଳଖେମୁଣ୍ଡିରେ ମଧ୍ୟ ଏହି ପର୍ବକୁ ବେଶ୍‌ ଆଡମ୍ବରରେ ପାଳନ ହୋଇଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ବଡ଼ ଧରଣ ଉତ୍ସବ ଆୟୋଜନ ନଥିଲେ ମଧ୍ୟ ସାହି ସାହିରେ ଭୋଗୀ ଉତ୍ସବ ବା ପ୍ରାକ୍ ମକର ଉତ୍ସବ ପାଳନ ହୋଇଯାଇଛି।

You might also like