ଭିଡିଓ କନ୍‌ଫରେନ୍ସିଂରେ କରୋନା ସ୍ଥିତି ସମୀକ୍ଷା କଲେ ନବୀନ

ଭୁବନେଶ୍ୱର:ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ  ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।  ମଙ୍ଗଳବାର ଦିନ ହୋଇଥିବା ସମୀକ୍ଷା ବୈଠକର ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି, ସେନେଇ ପଚାରି ବୁଝିଥିଲେ ।

ସଂକ୍ରମଣ ନିୟନ୍ତ୍ରଣରେ ଓଡ଼ିଶା ଭଲ କାମ କରିଥିବାରୁ ପରିସଂଖ୍ୟାନ ଦୃଷ୍ଟିରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି।  ଏହା ରାଜ୍ୟ ପାଇଁ ଭଲ ଲକ୍ଷଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସଫଳତା ପାଇଁ ସେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନ ଓ ପୋଲିସ ଅଧିକାରୀ, ସଫେଇ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଲକ୍‌ଡାଉନ ସମୟରେ ରାଜ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନରେ ଯେମିତି ବାଧା ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ କହିଛନ୍ତି । ବିଶେଷକରି କୃଷିଜାତ ଦ୍ରବ୍ୟ ପରିବହନରେ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିଲାଗି ଯତ୍ନବାନ ହେବାକୁ କହିଛନ୍ତି।

ଲକଡାଉନବେଳେ ଘରୋଇ ହିଂସା ବଢ଼ି ଯାଉଥିବା ଲକ୍ଷ୍ୟ କରାଯାଉଛି । ଏଣୁ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

You might also like