ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ସଂଧ୍ୟା ୫ଟାରେ ଭିଡିଓ କନ୍ଫରେନସିଂରେ  ନବୀନ ପଟ୍ଟନାୟକ ସମୀକ୍ଷା କରିବେ। ରଥଯାତ୍ରା ପାଇଁ ଅନୁମତି ପରେ ପୁରୀ ଭକ୍ତ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି।

ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଉପସ୍ଥିତ ଅଛନ୍ତି। ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଡିଜି କ୍ରାଇମବ୍ରାଞ୍ଚ, କେନ୍ଦ୍ରାଞ୍ଚଳ ଡିଆଇଜି ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି।

ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ କହିଲେ- ‘କାଲି ରଥଯାତ୍ରା ଆୟୋଜନ ନେଇ ସମସ୍ତେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ। ରଥଯାତ୍ରା ଭଲଭାବରେ, ଭକ୍ତଶୂନ୍ୟ ଭାବେ ହେବା ନେଇ ବିଶ୍ୱାସ। କୋଭିଡ଼ କଟକଣା, ସୁପ୍ରିମକୋର୍ଟଙ୍କ ସର୍ତ୍ତ ପାଳନ କରି ଯାତ୍ରା ହେବ।’

ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ  ମୁଖ୍ୟ ଶାସନ ସଚିବ ଓ ଡିଜିପି ପୁରୀ ଯାଇଛନ୍ତି। ସେଠାରେ ଉଭୟ ପରିସ୍ଥିତି ଉପରେ ଦୃଷ୍ଟି ରଖିବେ।

ରଥଯାତ୍ରା ପ୍ରସ୍ତୁତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ରଥଯାତ୍ରା ଆୟୋଜନ ନେଇ ସବୁ ବିଭାଗ ପ୍ରସ୍ତୁତ ରହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଯାହା ଆସିବ ସେନେଇ ପ୍ରସ୍ତୁତ ରହିଛୁ, ଶୃଙ୍ଖଳିତ ରଥଯାତ୍ରା ନେଇ ପ୍ରଶାସନ ପୂରା ପ୍ରସ୍ତୁତ ବୋଲି ସେ କହିଥିଲେ।

You might also like