‘ଫୋନି’ ପ୍ରଭାବିତଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ସମୀକ୍ଷା କରି ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ପୁରୀ ଜିଲ୍ଲା ଓ ଖୋର୍ଦ୍ଧାର ଯେଉଁ ସବୁ ଅଞ୍ଚଳ ଅତି ଭୀଷଣ ଭାବେ ପ୍ରଭାବିତ ସେଠାରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପରିବାରଙ୍କୁ ୫୦ କେଜି ଚାଉଳ, ନଗଦ ୨ ହଜାର ଟଙ୍କା ଏବଂ ପଲିଥିନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଭୀଷଣ ଭାବେ ପ୍ରଭାବିତ ପରିବାରକୁ ମଧ୍ୟ ସହାୟତା ଘୋଷଣା କରାଯାଇଛି। ସେଠାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଗତ ପରିବାରକୁ ଅଧିକ ଗୋଟିଏ ମାସର ଚାଉଳ କୋଟା, ୧ ହଜାର ଟଙ୍କା ଏବଂ ପଲିଥିନ ଯୋଗାଇ ଦିଆଯିବ।

ସେହିପରି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ସାମାନ୍ୟ ପ୍ରଭାବିତ ପରିବାରଙ୍କୁ ୫୦୦ଟଙ୍କା ସହ ୧ ମାସର ଅଧିକ ଚାଉଳ କୋଟା ମିଳିବ। ଅନ୍ୟ ସବୁ ପ୍ରଭାବିତ ଜିଲ୍ଲାର କ୍ଷତିଗ୍ରସ୍ତଙ୍କୁ ଅଧିକ ଗୋଟିଏ ମାସର ଭତ୍ତା ସହ ରିଲିଫ କୋଡ୍‌ ଅନୁୟାୟୀ ଘର ନିର୍ମାଣ ଲାଗି ସହାୟତା ମିଳିବ। ସମ୍ପୂର୍ଣ୍ଣ ଘର ନଷ୍ଟ ହୋଇଥିଲେ ୯୫ ହଜାର ୧୦୦ ଟଙ୍କା ଏବଂ ଆଶିଂକ ଘର ଭାଙ୍ଗିଥିଲେ ୫୨୦୦, ସାମାନ୍ୟ ଭାଙ୍ଗିଥିଲେ ୩୨୦୦ ଟଙ୍କା ମିଳିବ।

ସେହିପରି ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ହାଉସିଂ ସ୍କିମ୍‌ରେ ପୁନଃନିର୍ମାଣ କରାଯିବ। କୃଷି ଓ ଉଦ୍ୟାନ କୃଷି, ପଶୁ ଓ ମତ୍ସ୍ୟସମ୍ପଦରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ମୁତାବକ ସହାୟତା ମଧ୍ୟ ମିଳିବ। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ ବୃକ୍ଷ ରୋପଣ କରାଯିବ।

ପୁରୀରେ ୭୦ ପ୍ରତିଶତ ଜଳଯୋଗାଣ ବ୍ୟବସ୍ଥା ହୋଇସାରିଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ୯୦ ପ୍ରତିଶତ ଅଂଚଳକୁ ଜଳଯୋଗାଣ କାମ ସରିବ। ସେହିପରି ଭୁବନେଶ୍ୱରରେ ୪୦ ପ୍ରତିଶତ ଅଂଚଳକୁ ଜଳଯୋଗାଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like