ବିଧାନସଭାରେ ଶିଶୁ ନିଖୋଜ ଓ ଦୁଷ୍କର୍ମ ତାତି: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଙ୍ଗାମା
ଭୁବନେଶ୍ୱର : ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ଘଟଣାକୁ ନେଇ ବିଧାନସଭା ଅଚଳ। ରାଜ୍ୟରେ ବଢ଼ିଚାଲିଥିବା ଶିଶୁ ଯୌନ ନିର୍ଯାତନା ଓ ଅତ୍ୟାଚାରକୁ ନେଇ ଆଜି ଗୃହରେ ମିଳିତ ଭାବେ ହଙ୍ଗାମା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଆଇନ୍ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅଳିଆ ଗଦାକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ଭବାନୀପାଟଣାରେ ଆଶ୍ରୟଦାତାର ପାପ ନଜରରୁ ବର୍ତ୍ତିପାରିଲାନି ଏଚ୍ଆଇଭି ଆକ୍ରାନ୍ତ କୁନିଝିଅ। ଅତ୍ୟାଚାର, ବ୍ୟଭିଚାର, ଦୁଷ୍କର୍ମ। ବିପଦରେ କଅଁଳ କଢ଼ି। ସେଥିରେ ପୁଣି ଖୋଦ୍ ସରକାରୀ ବିବୃତ୍ତି-୩ ମାସରେ ନିଖୋଜ ୬୦୨ ପିଲା।
ଶିଶୁଙ୍କ ପ୍ରତି ଉଦ୍ବେଗଜନକ ଭାବେ ବଢ଼ିଚାଲିଥିବା ଏଭଳି ଅପରାଧକୁ ନେଇ ଆଜି କମ୍ପିଛି ବିଧାନସଭା । ବିରୋଧୀ ଅଭିଯୋଗ କରିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।
ପୂର୍ବରୁ ପୁରୀ ପଟ୍ଟନାୟିକିଆ ଛକ ହତ୍ୟାକାଣ୍ଡ ଓ କେନ୍ଦ୍ରାପଡ଼ା ନିର୍ବାଚନ ବେଳେ ଗୁଳିମାଡ଼ ଘଟଣା ପରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖି କହିଥିଲେ ଆଇନ୍ଶୃଙ୍ଖଳା ଠିକ୍ ଅଛି। ମୁଖ୍ୟମନ୍ତ୍ରୀଙ୍କ ଉତ୍ତରର ଯଥାର୍ଥତା ନାହିଁ। ସ୍ଥିତି ବିଗିଡ଼ି ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଉଭୟ ବିଜେପି ଓ କଂଗ୍ରେସ ଗୃହରେ ପ୍ରବଳ ହୋହଲ୍ଲା ଓ ନାରାବାଜି କରିଥିଲେ।
ଏପରିକି ଏନେଇ ରାଜ୍ୟସରକାରଙ୍କୁ ଉତ୍ତର ରଖିବାକୁ ବାଚସ୍ପତିଙ୍କ ରୁଲିଂ ବି କାମ ଦେଇ ନଥିଲା। ଗୃହର ମଧ୍ୟଭାଗକୁ ଆସି ବିରୋଧୀ ସଦସ୍ୟମାନେ ହଙ୍ଗାମା ଓ ହଟ୍ଟଗୋଳ କରିବାରୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା। ଫଳରେ ସ୍ଥିତି ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି। ହେଲେ ସର୍ବଦଳୀୟ ବୈଠକରେ ମଧ୍ୟ ନିଷ୍କର୍ଷ ନବାହାରିବାରୁ ବିଜେପି ସଦସ୍ୟ ଗୃହର ମଧ୍ୟ ଭାଗରେ ଏବଂ କଂଗ୍ରେସ ସଦସ୍ୟ କକ୍ଷ୍ୟତ୍ୟାଗ କରି ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିଲେ।
ଏପଟେ ଭବାନୀପାଟଣା ଆଶ୍ରୟଗୃହ କୁକର୍ମ ମାମଲାରେ ଆଜି ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଗିରଫ କରିଛି ପୁଲିସ। ସିଡବ୍ଲୁସି ତଦନ୍ତରୁ ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିବା ପରେ ଆଜି ନିର୍ଦ୍ଦେଶକଙ୍କ ନାଁରେ ଏତଲା ଦିଆଯାଇଥିଲା। ତେଣୁ ପୀଡ଼ିତା ଓ ତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ସରୋଜଙ୍କୁ ଗିରଫ କରାଯାଇଛି।