ବର୍ଷକରେ ଝଲସିବ ଏକାମ୍ର କ୍ଷେତ୍ର !

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱର ଉନ୍ନୟନ ପାଇଁ ଏକ ବିରାଟ ଯୋଜନା ପ୍ରସ୍ତୁତ କରାଯାଇଛି।  ୬୬ ଏକର ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏହି ବିସ୍ତୃତ ଯୋଜନା ଉପସ୍ଥାପନା କରାଯାଇଥିଲା।  ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ଭବ୍ୟ ବିକାଶ  କରାଯାଇ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି  ପରିବେଶ ସୃଷ୍ଟି କରାଯିବ। ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ପାରିବେ।

ଶିବରାତ୍ରି ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର  ଆଧ୍ୟାତ୍ମିକ ପରିବେଶରେ ସାମିଲ ହୋଇ ପାରିବେ  ଶିବରାତ୍ରି ସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ।

ସେହିପରି ବିନ୍ଦୁସାଗରର ଉନ୍ନୟନ ପାଇଁ ମଧ୍ୟ ଯୋଜନା ହୋଇଛି। ଏକାମ୍ରକ୍ଷେତ୍ର ଯୋଜନାରେ ବିନ୍ଦୁସାଗରରୁ ଲିଙ୍ଗରାଜ ମନ୍ଦିର ଓ ରଥଗଡ଼ାରୁ ଚନ୍ଦନ ଯାତ୍ରା, ସବୁ କିଛି ତୀର୍ଥଯାତ୍ରୀମାନେ ସିଧା ଦେଖିପାରିବେ। ପ୍ରାୟ ୩୫୦ ବର୍ଷ ପରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବାକୁ ଯାଉଛି। ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ, Orientation Centre, Parking, Food Plaza, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି।

ଏହି କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ବୈଠକରେ ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ୍ ଆଲୋଚନାକୁ ସଂଯୋଜନା କରିଥଲେ।

You might also like