ଆଉ ଥରେ ହେବ କି ଲକଡାଉନ? ସେପଟେ ଆସନ୍ତାକାଲି କରୋନା ସଂକ୍ରମଣକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସମୀକ୍ଷା କରିବେ ନବୀନ

ଭୁବନେଶ୍ୱର: ପୁଣି ରାଜ୍ୟରେ କାୟା ବିସ୍ତାର କରୁଛି କରୋନା। ତେବେ ପରିସ୍ଥିତିକୁ ନଜରରେ ରଖି ଆସନ୍ତାକାଲି କରୋନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ପୁଣି ଥରେ ସରପଞ୍ଚ, ୱାର୍ଡମେମ୍ବର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ବଡ଼ ଦାୟିତ୍ୱ ଦିଆଯିବା ନେଇ ସୂଚନା ରହିଛି। ଦାୟିତ୍ୱରେ ରହିବାକୁ ଥିବା କର୍ମଚାରୀମାନେ ବାହାରୁ ଗାଁକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ ବୋଲି ଜଣାପଡିଛି। ଗାଁରେ କରୋନା ପରିଚାଳନାକୁ ପୁଣି ସକ୍ରିୟ କରାଯିବ ବୋଲି ବି ସୂଚନା ରହିଛି।

ସେପଟେ ଏନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ଏସଆରସି ପ୍ରଦୀପ୍ତ ଜେନା। ସେ କହିଛନ୍ତି ଯେ, XIMB ରୁ ଅଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ଏତିକି ନୁହେଁ କଟକରୁ ମଧ୍ୟ ୨ ଟି କେସରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁମାନେ ବାହାରୁ ଆସିଛନ୍ତି ସେମାନେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମହାରାଷ୍ଟ୍ର ଓ ତାମିଲନାଡୁରୁ ଫେରିଥିବା ଲୋକମାନେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ସମସ୍ତ ଘଟଣାକୁ ଦୃଷ୍ଟିରେ ରଖି, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ସଚିବମାନେ ଆଲୋଚନା କରିଛନ୍ତି।

ଏହାସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିଶନରଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ମଧ୍ୟ ହୋଇଛି। କାଲି ଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀ ଓ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା ମଧ୍ୟ କରିବେ। ସଂକ୍ରମିତଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି। ଆଜି ସ୍ୱାସ୍ଥ୍ୟ ସଚିବ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସମୟରେ ଅନେକ କଥା ବୁଝାଇଛନ୍ତି ବୋଲି SRC କହିଛନ୍ତି। ମୋଟ୍‌ ଉପରେ କହିବାକୁ ଗଲେ, ବାହାରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଟ୍ରାକିଂ କରିବା ଆବଶ୍ୟକତା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବାହାରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର କେମିତି ଅଧିକ ଟେଷ୍ଟିଂ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ଜେନା କହିଛନ୍ତି।

ବର୍ତ୍ତମାନ ସମୟରେ ରାଜ୍ୟରେ ୨୫ ରୁ ୨୬ ହଜାର ଲୋକଙ୍କ ଟେଷ୍ଟିଂ କରାଯାଉଛି। ଯାହାକି ଆଗାମୀ ଦିନରେ ବଢିବ। କରୋନାକୁ ନିୟନ୍ତ୍ରିତ କରିବାକୁ ପଂଚାୟତରାଜ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। ସରପଂଚଙ୍କୁ ଗୁରୁ ଦାୟିତ୍ୱ ମିଳିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଗତବର୍ଷ ଯେମିତି କରୋନାକୁ ରୋକିବାକୁ ସରକାର ପଦକ୍ଷେପ ନେଇଥିଲେ ଚଳିତଥର ମଧ୍ୟ ଠିକ୍‌ ସେହିପରି ଭାବରେ ଚଳିତଥର ମଧ୍ୟ ପଦକ୍ଷେପ ନିଆଯାଉଛି।

 

You might also like