ବରଗଡ଼: ଆସନ୍ତା ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ବରଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ଏମ୍ଏସ୍ପି କଥା ଉଠାଇଛନ୍ତି।
ଅତାବିରା ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘ଧାନର ଏମ୍ଏସ୍ପି ୨ ଗୁଣ କରିବେ ବୋଲି କେନ୍ଦ୍ର ସରକାର କହିଥିଲେ। ଆମେ ଅପେକ୍ଷା କଲୁ, କିନ୍ତୁ କିଛି ହେଲାନି। ବିଧାନସଭା ଗୃହ କମିଟି ଗଠନ କରି ଦାବି ଜଣାଇବାକୁ ଦିଲ୍ଲୀ ଯିବାକୁ ନିଷ୍ପତ୍ତି ମଧ୍ୟ ହୋଇଥିଲା। କିନ୍ତୁ ୨ ବର୍ଷ ବିତିଲା ପଛେ, ଚାଷୀଙ୍କ ପାଇଁ ଦିଲ୍ଲୀ ଦରବାର ୨ ମିନିଟ୍ ବି ସମୟ ଦେଇପାରିଲେ ନାହିଁ। ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବି ଚାଷୀଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିଲେନି’।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ବୁଣାକାରଙ୍କ ଉପରେ ଜିଏସ୍ଟି ଲାଗିଲା। ଏହାକୁ କମ୍ କରିବାକୁ ଦାବି କରାଯାଇଥିଲେ ମଧ୍ୟ କିଛି ହେଲାନି’।
ସେହିପରି କୋଶଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଦାବି କରାଯାଇଥିଲେ ମଧ୍ୟ କେନ୍ଦ୍ର କିଛି ନିଷ୍ପତ୍ତି ନେଇ ନ ଥିବା ନବୀନ ଅଭିଯୋଗ କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ମାରାଥନ ପ୍ରଚାର କରୁଛନ୍ତି। ଅତାବିରା ପରେ ପଦ୍ମପୁରରେ ସମାବେଶ କରିଛନ୍ତି। ପାଟଣାଗଡ଼ରେ ମଧ୍ୟ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏହା ପରେ ବେଲପଡ଼ାଠାରୁ କଣ୍ଟାବାଞ୍ଜି, ବଙ୍ଗମୁଣ୍ଡା, ହଳଦୀ, ଟିଟିଲାଗଡ଼, ବେଲଗାଁ, ସଇଁତଳା, ତୁଷରା ଛକ, ଦେଓଗାଁ, ବଲାଙ୍ଗିର, ଲୋଇସିଂହା, ସାଲେଭଟ୍ଟାରେ ମୁଖ୍ୟମନ୍ତ୍ରୀ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।
https://youtu.be/JiDkQ7IvT30