‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଘୋଷଣାର ୧୦ ଦିନ ଭିତରେ ଆରମ୍ଭ ହେଲା ‘କାଳିଆ’ ଯୋଜନା। ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେନସରେ କଥା ହୋଇ ମୁଖ୍ୟମନ୍ତ୍ରୀ ଯୋଜନାର ଲୋଗୋ, ୱେବ୍‌ସାଇଟ୍ ଓ ହିତାଧିକାରୀଙ୍କ ତାଲିକା ଉନ୍ମୋଚନ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ୪୦ ହଜାର ହିତାଧୀକାରୀ ତାଲିକାରେ ସ୍ଥାନ ପାଇଛନ୍ତି। ଆଜିଠାରୁ ହିଁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗୋଟିଏ ଦିନ ପୂର୍ବରୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ଦେଇଥିବା ଚିଠିରେ ଜିଲ୍ଲାସ୍ତରୀୟ କମିଟିର ପ୍ରଥମ ବୈଠକ ଆଜି ସାରିବାକୁ ଏଥିରେ ନିର୍ଦ୍ଦେଶ ରହିଛି। ଏଥିପାଇଁ ପଞ୍ଚାୟତସ୍ତରରେ ଆଜି ହିଁ ଅଫିସର ନିଯୁକ୍ତି ପାଇଁ କୁହାଯାଇଛି। ଆଜି ଅପରାହ୍ନ ସାଢେ ତିନିଟାରେ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରସନ ବି କରିଥିଲେ ମୁଖ୍ୟ ଶାସନସଚିବ। ଆଉ ଦୁଇ ଘଣ୍ଟା ପରେ ଅର୍ଥାତ୍ ସାଢେ ୫ ଟାରେ ମୁଖ୍ୟମନ୍ତ୍ରୀ ଯୋଜନାର  ଶୁଭାରମ୍ଭ କରିଛନ୍ତି।

‘କାଳିଆ’ ଯୋଜନାକୁ କାର୍ଯ୍ୟକାରି କରିବା ପାଇଁ ଜିଲ୍ଲାପାଳଙ୍କ ପାଖକୁ ପଠାଯାଇଥିବା ମୋଡାଲିଟିଜରେ କେଉଁ ତାରିଖ ଭିତରେ କେଉଁ କାମ ଶେଷ କରିବାକୁ ହେବ ତାହା ଉଲ୍ଲେଖ ରହିଛି। ଜାନୁଆରୀ ୨ରୁ ୧୦ ଭିତରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ନାଁ ପଞ୍ଚାୟତ ଓ ପାକସ ଅଫିସରେ ଲଗାଇବାକୁ କୁହାଯାଇଛି।

ରବି ଫସଲ ପାଇଁ ୫ ହଜାର ଟଙ୍କା ପ୍ରଥମ ପର୍ଯ୍ୟାୟରେ ୨୨ରୁ ୨୫ ତାରିଖ ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଯିବ। ୨୦ ରୁ ୩୦ତାରିଖ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ଚାଷୀ ଚିହ୍ନଟ ହୋଇ ଫେବୁଆରୀ ୧୩ରୁ ୧୫ତାରିଖ ଭିତରେ ଟଙ୍କା ଦିଆଯିବ। ତେବେ ସରକାରଙ୍କ ଏ ତରବରିଆ କାମକୁ ନେଇ ବିଜେପି ପ୍ରଶ୍ନ ଉଠାଇବା ସହ ଚାଷୀଙ୍କୁ ପ୍ରତାରିତ କରାଯାଉଥିବା ଅଭିଯୋଗ ନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି। କଂଗ୍ରେସ ବି ସରକାରଙ୍କୁ ଟାର୍ଗେଟ କରିଛି।

ସରକାରୀ ଚାକିରି କିମ୍ବା ପେନସନ ପାଉଥିବା ଚାଷୀ ପରିବାର କାଳିଆ ଯୋଜନାରୁ ବାଦ ପଡିବେ। ସେହିପରି ଇନକମ୍‌ ଟାକ୍ସ ପଇଠ କରୁଥିବା ଚାଷୀ ପରିବାର ମଧ୍ୟ କାଳିଆରେ ଫାଇଦା ପାଇବେ ନାହିଁ। ତେବେ ପ୍ରଶ୍ନ ଉଠୁଛି ଏସବୁ ପ୍ରକ୍ରିୟା ସାରି ସରକାର ୨୫ ତାରିଖ ଭିତରେ ଚାଷୀଙ୍କୁ ଟଙ୍କା ଦେବାକୁ ରଖିଥିବା ଲକ୍ଷ୍ୟ ସହଜ ହେବ ତ ?

You might also like