ବିଜେପି ନେତାଙ୍କ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଏଭଳି ହିଂସାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ନିନ୍ଦା କରିବା ସହ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ଟ୍ୱିଟ୍‌ କରି କହିଛନ୍ତି। ଏଥିସହ ନିର୍ବାଚନ କମିଶନ ଏହି ଘଟଣାକୁ ଗୁରୁତ୍ୱର ସହ ନିଅନ୍ତୁ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ୍‌କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତକାଲି ରାତିରେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ଖୋର୍ଦ୍ଧା ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଏହି ହତ୍ୟାକାଣ୍ଡର ପ୍ରତିବାଦରେ ଆଜି ଖୋର୍ଦ୍ଧାରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଜେପି ବନ୍ଦ ଡାକରା ଦେଇଛି। ଏହି ହତ୍ୟାକାଣ୍ଡ ପଛରେ ବିଜେଡିର ହାତ ଥିବା ବିଜେପି ଅଭିଯୋଗ କରିଥିବା ବେଳେ ଭୁବନେଶ୍ୱର ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ସବୁ ବିଜେପି ପ୍ରାର୍ଥୀଙ୍କ ପାଇଁ ସୁରକ୍ଷା ଦାବି କରିଛନ୍ତି।

ସେପଟେ ମଙ୍ଗୁଳି ଜେନାଙ୍କ ହତ୍ୟାରେ ବିଜେଡି କର୍ମୀଙ୍କ ସଂପୃକ୍ତିକୁ ଖୋର୍ଦ୍ଧାର ବିଜେଡି ବିଧାୟକ ପ୍ରାର୍ଥୀ ଜିତୁ ମିତ୍ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବିଜେଡିକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀକୁ ଦଣ୍ଡ ବିଧାନ ପାଇଁ ସେ ଦାବି କରିଛନ୍ତି।

You might also like